ରୋବଟ
ରୋବଟ
କହୁଛି ଝିଅ ଗେହ୍ଲେଇ ରାନୁ
ଶୁଣ ବାପା ମୋ କଥା
ଏଇ ରୋବଟ ଯନ୍ତ୍ର କଣ୍ଢେଇ
ଘୂରାଏ ଭଲ ମଥା ।
ଆଣିକି ଦେଲ ଖେଳିବ ବୋଲି
ମୋ ସାଥେ ସାଙ୍ଗ ପରି
ହେଲେ ସିଏ ତ ଗୋଟିଏ କଥା
ଜପୁଛି ମାଳା ଧରି ।
କଥାରେ ମୋର ଉତ୍ତର କିଛି
ଦେଉ ତ ନାହିଁ ସିଏ
ଖାଉନି ଜମା ଦେଲେ ତାହାକୁ
କେମିତି ସାଙ୍ଗ ଇଏ ।
ରହୁନ ତୁମେ ମାମା କି ବାବା
କରୁନ ମୋତେ ଗେଲ
କଣ୍ଢେଇ ଧରି ଖେଳିବି କେତେ
ଲାଗୁନି ମୋତେ ଭଲ ।
ତୁମଠୁ ଗୀତ ଶୁଣିଲେ ଗପ
ଲାଗଇ ମୋତେ ଖୁସି
ସାଙ୍ଗସାଥିଙ୍କ ସାଥେ ଖେଳିଲେ
ମଜା ମିଳଇ ବେଶୀ ।
ଏକେଲା ମୋତେ ଆମରି ଘରେ
ଲାଗଇ ଭାରି ଡର
ସାଥିରେ ତୁମ ଅଫିସ ଯିବି
ମୋତେ ବି ନେଇ ଚାଲ ।
ବୁଝିଲେ ବାପା ରାନୁର କଥା
ମନ ଭିତର କୋହ
ଆଖି କଣରୁ ଆସିଲା ଝରି
ଆପଣା ଛାଏଁ ଲୁହ ।
ଉପାୟହୀନ ମଣିଷ ଆଜି
କେବଳ ଅସହାୟ
ଯନ୍ତ୍ର ଟି ପରି ପଢିବ ପାଠ
କରିବ କିଛି ଆୟ ।
ନିଜ ସନ୍ତାନ ଘର ଦୁଆର
ବାପ ମା ବୁଢ଼ାବୁଢ଼ୀ
କାଳ ଅକାଳେ ପାରିବ ନାହିଁ
ମୁହଁ କୁ ଟିକେ ଦେଖି ।
ମନର ଦୁଃଖ ମନରେ ମାରି
ରାନୁକୁ କଲେ କୋଳ
କହିଲେ ବାପା ଶୁଣ ମା ରାନୁ
ଗେହ୍ଲେଇ ସୁନା ଝିଅ ।
ରାନୁ ସହିତ ରହିବେ ଏବେ
ନିଶ୍ଚୟ ବାପା ମାଆ
ଡରିବ ନାହିଁ ଆମର ରାନୁ
ରଖିବ ତାର ନାଆଁ ।