ରାତିର ସୌଦାଗର
ରାତିର ସୌଦାଗର


ରାତି ସୌଦାଗର ଅଟେ ମୁଁହି ଏକ
ରାତିରେ ଭାବ ବେପାର
ବକ୍ଷ ଆଡ଼କୁ ସାଉଁ ଟେ ସଭିଙ୍କୁ
ରୂପ ମାଧୂର୍ଯ୍ୟ ରେ ମୋର ।
କ୍ଷଣିକ ଆଶିଷ ପାଇଛି ବୋଲି ମୁଁ
ଭାବ ବାଣ୍ଟି ବାଣ୍ଟି ଯାଏ
ସମର୍ପିତ ସେବା କରୁଥାଏ ସଦା
ଜୀବନ ଉତ୍ସର୍ଗ କରେ ।
ଶୁଭ୍ର ତନୁ ରେ ମୋ ସୂକ୍ଷ୍ମ ପାଖୁଡ଼ା
ଦିଗନ୍ତ ବିସ୍ତରେ ମୋହ
କ୍ଷୁଦ୍ର ତନୁ ରେ ବି ଆକର୍ଷଣ ଶକ୍ତି
ସର୍ବେ ହୁଅନ୍ତି ବିଭୋର ।
ଜୀବନ ଉତ୍ସର୍ଗ କରିବାରେ ମୁହିଁ
କେତେ ଆନନ୍ଦିତ ହୁଏ
ସେତିକି ସେବା ରେ ଧନ୍ୟ ହୁଏ ମୁହିଁ
ଅସ
ୀମ ଆନନ୍ଦ ପାଏ ।
ପର ଆପଣା ର ଭାବେନି କାହାକୁ
ସଭିଙ୍କୁ ଭାବ ବଣ୍ଟନ
ଭାବ ସୌଦାଗର ସାରା ଯାମିନୀ ର
ଅଭିଶପ୍ତ ମୋ ଜୀବନ ।
ଅନ୍ଧକାର ସହ ନିବିଡ଼ ଡୋରି ରେ
ବନ୍ଧା ମୋ ସାରା ଜୀବନ
ସୂର୍ଯ୍ୟାଲୋକ ସୁଖ ଲଭିନି ଜୀବନେ
ଦୁଃଖ ଭରା ମୋ ପରାଣ ।
ପ୍ରାଚୀ ନଭ କୋଳେ ସିନ୍ଦୂର ଫାଟିବା
ମତେ ସ ହେନି ସେ ଶିରୀ
ମୋ ଠାରୁ ସେ ପରା ଅଧିକ ସୁନ୍ଦରୀ
ଧରା ରୁ ଦିଏ ସେ ତଡି ।
ଲୋହିତ କିରଣ ସଙ୍ଗେ ନେଇ ଆସେ
ଧରା କୁ ଯେବେ ସେ ଶିରୀ
ସୂକ୍ଷ୍ମ ତନୁ ମୋର ହୁଏ ଭୂପତିତ
ଅଭାଗିନୀ ମୁଁ ଶେଫାଳୀ ।