ସ୍ମୃତି
ସ୍ମୃତି
ଚାନ୍ଦିନୀ ରାତିରେ ଚୋରା ପୀରତିରେ
ବାଣ୍ଟି ବାଣ୍ଟି ଗଲି ସ୍ମୃତି
କିଛି ନେଇଗଲା ନୀଳ କଇଁ ଆଉ
କିଛି ନେଲା ଜହ୍ନ ରାତି ।
ତହିଁ ପର ଦିନ ଆଉ କିଛି ଥିଲା
ଜଳିଲା ରୋଷେଇ ଘରେ
ପିଲା ଙ୍କ ପାଠ ରେ କିଛି ହଜିଗଲା
ଆଉ କିଛି ଜଞ୍ଜାଳରେ ।
ସେଦିନ ସଂଜରେ କିଛି ଜଳିଗଲା
ତୁଳସୀ ଚଉରା ମୂଳେ
ଆଉ କିଛି ସ୍ମୃତି ବାକି ଥିଲା ପରା
ଶୁଭିଲା କାନ୍ଥ ଘଣ୍ଟାରେ ।
ଅପର୍ଯ୍ୟାପ୍ତ ସିଏ ଅନନ୍ତ ଅସୀମ
ବୟସ ହେଲା ମଧ୍ୟାହ୍ନ
ପର୍ଯ୍ୟାୟ କ୍ରମ ରେ ଆସୁଥିଲା ସିଏ
ହେଲା ନାହିଁ ଅବସାନ ।
ଜୀବନ ରାସ୍ତା ଠୁ ଆଉ ଲମ୍ବା ସିଏ
ବୁଝିଗଲି ସେହି ଦିନ
ଆୟୁ ସରିଯାଏ ସ୍ମୃତି ସରେ ନାହିଁ
ଅସରନ୍ତି ଦିବା ସ୍ବପ୍ନ ।
ଆଉ କିଛି ବାକି ଥାଏ ଭିଜି ଯାଏ
ପ୍ରତି ତନ୍ଦ୍ରା ପଣତରେ
ଅସ୍ପଷ୍ଟ ତଥାପି ଭାରି ପ୍ରିୟ ସିଏ
ହଜେ ଯାମିନୀ କୋଳ ରେ ।
ତଥାପି ସରେନି ଦିଏ ମଧୁ ସ୍ପର୍ଶ
ଆସେ ମଝି ପାହାଚରେ
ଅସ୍ତ ହେବା ଯାଏଁ ଆସୁଥିବ ବୋଧେ
ସବୁ ଚାନ୍ଦିନୀ ରାତିରେ ।