ପୂର୍ଣ୍ଣଛେଦ
ପୂର୍ଣ୍ଣଛେଦ
ତୋ କୋଠା ଘରକୁ
ଶୁଭ ହେବ ବୋଲି ସେଦିନ
ମୋତେ ମାଛ କରି ଥୋଇଲୁ
ଖୁଵ ଛୋଟ ଗୋଟେ କାଚ ଘରଟା ଭିତରେ।
ତୋ ହଳଦୀ ,ଅଳତା ଏବେ ସବୁ
ସେଦିନ ତୋ ଇଚ୍ଛାରେ ବଢିଯାଇଥିବା
ମୋ ଡେଣାରେ
ମୋ ଦେହରେ।
ଚଉଳେ ପାଣିରେ ମୋ
ପହଁରିବାପଣର ଯନ୍ତ୍ରଣା
ଭୁଡୁକା ମାରୁଥିବା ଜୀବନ
ଖୁଵ ବେଶୀ ଆମୋଦିତ କରେ ତୋତେ,
ଖୁସି ମିଳେ
ପ୍ରେମରେ ଏତେ ସବୁ ସୁଧ ,ମୂଳ ,
ପ୍ରତିଶୋଧ ନେଇପାରିଛୁ ବୋଲି।
ଦିନେ ଯା ମୋ କଷ୍ଟକୁ ଦେଖିପାରି ନ ଥିବା
ସେ ସମୟ ତୋ ଇପ୍ସିତ କାଚଘରଟାକୁ
ଭାଙ୍ଗି ଚୁନା କରିଦେଲା ଆଉ
ଫିଙ୍ଗିଦେଲା ମୋତେ
ମୋ ବଳକା ଜୀବନ ରାସ୍ତାରେ।
ତୁ ବିଶ୍ୱାସ କର କି ନ କର
ମୁଁ କିନ୍ତୁ
ତୋ ସୁଖଦୁଃଖର ଠିକଣା
ଢେର ପଚାରିଛି ପକ୍ଷୀକୁ
ଯଦିଓ
ଅଚାନକ କା ହାତରେ ପଡିଯିବ ବୋଲି
ଧରେଇ ପାରିନି
ସତ ଲୁଚେଇ ପାରୁନଥିବା ତା ଥଂଟରେ
ଖଣ୍ଡେ ଅଧେ ଚିଠି ।
ପକ୍ଷୀଟେ ଆଗରେ ବି
ତୁ ଖୁଵ ବେଶୀ ସତୀ ହଅ
ମନା ନାହିଁ
ମନ ସବୁ କାଚ ପରି ଭାଙ୍ଗିଗଲା ପରେ
ପାଣି ସବୁ ଲୁହହୋଇ ବହିଗଲେ ମୋ ପାଇଁ
ମୃତ୍ୟୁ ପାଖରେ ଛାତି ସହ ଛଟପଟ
ମୋ ଶେଷ ଜମାନବନ୍ଦୀ
ଶେଷ ଇଚ୍ଛା
ଦଧିଚିଟେ ପରି ନିଜ ଦେହ
ସେ ପକ୍ଷୀକୁ ପରଶିଦେବି ।
ଖୁଵ ଖୁମ୍ପି ଖୁମ୍ପି ମୋ ହୃଦୟକୁ
ପକ୍ଷୀଟା ଗିଳି ଦେବାପରେ
ଭାବିବି
ତୋ ଛାତି ଧରିରଖିପାରି ନଥିବା ସେ ପ୍ରେମ
ପକ୍ଷୀର ଥଂଟ ପାଇଁ ଚିଠିଟେ ନ ହେଉ
ବରଂ ତା ପେଟରେ ମଞ୍ଜିଟେ ହୋଇଯାଉ।
ଏମିତିରେ ଯୋଉ ଗଛଟା ଦିନେ ବି
ମଞ୍ଜିର କି ମାଟିର ହୋଇପାରିଲାନି
ପକ୍ଷୀର ମଳ ହୋଇ ବରଂ
ତୋତେ ପାଖରେ ପାଇବାର
ଶେଷ ସୁଯୋଗଟେ ପାଉ
ତୋ ଛାତ ଉପର ପାଣିଟାଙ୍କି ପାଖ
କଂକ୍ରିଟ ଛାତିରେ
ଅଥବା ବାହାରପାଖ କାଂଥ ଛାତିରେ
ଫୁଟିଯାଇ, ଅହର୍ନିଶ କାନ୍ଦୁଥିବା
ସେ ପାଣି ପାଇପର କନ୍ଦିରେ ।
ଫଳ ଫଳିବା ତ ଦୂରର କଥା
ଫୁଲ ଫୁଟିବା ପର୍ଯ୍ୟନ୍ତ ବଂଚି ପାରୁ ନ ଥିବା
ଗୋଟେ ଖୁଵ କମ ଆୟୁଷ ନେଇ
ଜୀବନ୍ୟାସ ପାଉଥିବା ଚାରା ଗଛଟିଏ ଭଳି ।
ଠିକ ଜାଣିଛି
ମୋ ଉଦ୍ଧତ ଚେର ମାନେ
ତୋ ସେ କଂକ୍ରିଟ ଛାତି ଫଟେଇ
ସତ କାଢ଼ିବା ଆଗରୁ
ତୁ ମୂଲିଆ ପକେଇ ଉପାଡ଼ି
ଫିଙ୍ଗିଦେବୁ ମୋତେ
ଗୋଟେ ଡହ ଡହ ଜଳୁଥିବା
ଖରାର ଜୁଇକୁ
ଭାଗ୍ୟରେ ପୁନର୍ଜନ୍ମ ଥିଲେ ଭାବୁଛି
ମାଟିତଳେ ପୋତିହୋଇଥିବା ସେ ଗଛ
ଅନ୍ତତଃ
ଛୋଟମୋଟ କୋଇଲା ଖଣ୍ଡେ ହୋଇ ଜନ୍ମନେବ
ମୋ ପାଇଁ ତୋ ମନରେ ବାକିଥିବା
ନିଆଁ ସବୁ ନିଜ ଭିତରେ ଧରିନେବାକୁ
ତା ପରେ ତ
ମୁଁ ମୁଠେ ପାଉଁଶ
ଆଉ ତୋ ପାଇଁ
ଏଇଠୁ ମୋ ସବୁ ଜନ୍ମ ଶେଷ ।