ବଇଁଶୀ
ବଇଁଶୀ
ସମ୍ପର୍କ ସବୁ ଏମିତି ସରିଯିବାର ଡରରେ
ସାତତାଳ ପଙ୍କ ତଳେଥିବା ଫରୁଆ ନୁହେଁ
ଗୋଟେ ବାଉଁଶ ନଳର ଅମୁହାଁ ଅର୍ଗଳିରେ
ଲୁଚେଇ ଦେଇଥିଲି ତାକୁ
କେହି ନଜରଟେ ବି ଫିଙ୍ଗି ପାରିବେନି ବୋଲି
ଆଜି କିନ୍ତୁ ତୋ ମନକୁ କଣ ଆସିଲା କେଜାଣି
ଛଅଟି ସର୍ତ୍ତର ନିଆଁ ଚେଙ୍କ ଦେଇ
ଏମିତି ଟପ ଟାପ ଫୁଟେଇଦେଲୁ ତାକୁ
ମୁଁ ବି କୋଉ କମ କି
ଭାରି ଜିଦିଆ ବୋଲି
ତୋ ଛଅ ସର୍ତ୍ତ କି ଗର୍ତ୍ତ ଉପରକୁ
ଦେଖିନେ
ଖୁବ ଗଭୀର ଭାବେ ଖୋଳି ଦେଇଥିବା
ଆମ ସମ୍ପର୍କ ସ୍ୱରକୁ ଗୋଟେ ରାସ୍ତା
ଓ
ଗଣ୍ଠି ଭାବି କାଟି ପକେଇଥିବା
ଜୀବନର ଦୁଇମୁଣ୍ଡ
ସବୁକିଛି ସରିଯିବା ଆଗରୁ ଏଥର
ଆ
ତୋ ଅନାସକ୍ତ ଓଠକୁ ଲଦିଦେ
ମୁଁ ଗଭୀରଭାବେ ଖୋଳିଦେଇଥିବା
ସେ ଗୁମ୍ଫାର
ଆଜୀବନ ତୃଷାର୍ତ ଓଠରେ
ଅବଶୋଷ କି ଦୀର୍ଘଶ୍ଵାସ ନୁହେଁ
ବଳିଥିବା ସାହସ ଓ ବିଶ୍ୱାସ ବଳରେ
ବରଂ ନିଶ୍ୱାସକୁ ପବନ କରି
ଥରୁଟିଏ ପୁରେଇଦେ ତା ଭିତରେ
ହାଁ.....ହାଁ....
ଖାଲି ସେମିତି କଲେ
ନିଶ୍ୱାସ ନୁହେଁ ଆୟୁଷ ସରିଯିବ ଯେ
ତୋ ସେ ଛ' ସର୍ତ୍ତ ର ଗର୍ତ୍ତ ଉପରେ
ଦୁଇ ଚିହ୍ନା ହାତର ତିନି ତିନୋଟି ଆଙ୍ଗୁଳି ଦେଇ
ଲକ୍ଷ୍ମଣରେଖା ପରି
ଗୋଟେ ଭରପୂର ଆବେଗରେ
ଏକ ଦୁଇ ତିନି କରି ଅଟକାଇ ଚାଲ
ନିହାତି ଅବେଳ ଓ ଅବାଟରେ
ବହିଯିବାକୁ ବସିଥିବା
ସେ ନିଶ୍ୱାସ ଆଉ ବିଶ୍ୱାସ ସବୁକୁ
ଆଉ କାନ ଡେରି
ମତୁଆଲା ହୋଇ ସେମିତି ଶୁଣୁଥା
ଜୀବନ ଯନ୍ତ୍ରଣାର ସ୍ୱର ସବୁ
ସେ ବାଉଁଶ ନଳର ଶେଷ ମୁଣ୍ଡ ଦେଇ
ଫର୍ଚ୍ଚା ଆକାଶର ପବନରେ
କେମିତି ବେଶ ମିଶିଯାଉଛି
ଗଛ, ଗୋପୀ,ନଈ, ଗାଈ
ସମସ୍ତେ କାନ ଡେରିଲେଣି
ତୋ ସର୍ତ୍ତରେ ବାଉଁଶକୁ ଫୁଟେଇ
ବଇଁଶୀ ତ କଲୁ
ମୁଁ ହୃଦୟ ଫିଟେଇବା ବେଳକୁ
ତୋତେ କିନ୍ତୁ କଳଙ୍କର ଡର
ପାରୁଛୁ ତ ଏଥର ସବୁ
ଯନ୍ତ୍ରଣା କୁ ଜିତିଯା
ଅପେକ୍ଷାଟେ ଏମିତି ହସୁଥାଉ
ମୋ ସମାଧି ତଳୁ