କୋଣାର୍କରେ ପଥର ପ୍ରେମ
କୋଣାର୍କରେ ପଥର ପ୍ରେମ
ତୋର ମୋର ସମ୍ପର୍କ
ଗୋଟେ ଭଙ୍ଗା କୋଣାର୍କ
ତାକୁ ଟିକେଟ କାଟି ଦେଖିବାକୁ
ଭିଡ ଭିତରେ ବି ଅନେକ ପର୍ଯ୍ୟଟକ
ପଥରର ଛାତିଫଟା କାନ୍ଦିବା ଦୃଶ୍ୟକୁ
ଲୁହା ଖୁଣ୍ଟି ସବୁର ଧର୍ଯ୍ୟ ଦେଇ
ଅଟକେଇ ରଖିବାର କି ଅପୂର୍ଵ ପ୍ରୟାସ
ତୁ ଜାଣିଛୁକି ନାହିଁ କେଜାଣି
କାନ୍ଦିବା ବେଳର ଆଶ୍ୱାସନା
ବେଶୀ କନ୍ଦାଏ ନିଜ ଲୋକ ଆଗେ
ପଥର କାନ୍ଦି ଝରିଗଲେ ତ କଥା ସରିଲା
ସେଥିପାଇଁ ଏ ମହା ଜାଗତିକ ଦୃଶ୍ୟକୁ
ଅଟକାଇ ରଖାଯାଉ
ସବୁଦିନେ ସମସ୍ତଙ୍କ ପାଇଁ
ଏମିତି ଦୁଃଖଦ ଦୃଶ୍ୟ ଦେଖି ଅଦୂରରେ
ହସୁଥାଉ ଗୋଲାପ,ମନ୍ଦାର,କାକଟସ ପରି
ଜାତି ଜାତିକା ଫୁଲ।
ରାଜନେତା ପରି ସମଦୁଃଖି ସମସ୍ତ ଦର୍ଶକଙ୍କ
ସମବେଦନାର ଦୃଶ୍ୟସବୁ ତୋଳିଧରିବାକୁ
ସଦା ପ୍ରସ୍ତୁତ ଥାଉ କ୍ୟାମେରାମେନ
ପ୍ରେମ, ମନ ସବୁ ଭାଙ୍ଗିଗଲା ପରେ
ମରୁ ସମ୍ପର୍କକୁ ସତେଜ କରୁଥାଉ ଗାଇଡ଼
ପର୍ଯ୍ୟଟକମାନଙ୍କ ଆଗେ
ସମ୍ପର୍କର ଚକ ସହ ଜୀବନ,ସୁଖ ଓ ସମୟ
ମାପିବାର କୌଶଳ ବଖାଣୁଥିବାବେଳେ
ଲନ ଉପରେ ସମୟ ବିତାଉଥିବା
କେତେ ପ୍ରେମୀଯୁଗଳଙ୍କ ଆଖି ଆଗେ,
ସକାଳ ଘାସର ଗାଲିଚା ପରେ
କାକର କି ପ୍ରିୟତମର ଲୁହକୁ
ଅଟକେଇ ରଖିଥିବା
ବୁଢିଆଣି ଜାଲପରି
ଗୋଟେ ପ୍ରାକୃତିକ ଶୃଙ୍ଖଳ
ଘାସର ଦେହ କି ହୃଦୟକୁ
ଛୁଏଁଇ ନ ଦେବା ପାଇଁ
ଦେଖୁନୁ ଲୁହ ସବୁରୁ ଦୁଖ ସବୁକୁ
ଏମିତି ଜାଲିଦେଇ ଛାଣିଦେଲେ
ଖରା ଆଗେ ବେଶ୍ ଚକ ମକ
ଦେଖାଯାଏ ସମ୍ପର୍କ
ଦିନ ବଡ ହେଲେ
ବାଷ୍ପୀଭୂତ ହୋଇଯାଏ ଦୁଃଖ
ଘାସର ଦେହ ଉପରେ ଏବେ
ଢେର ପାଦ ,ଅନେକ ଦେହ ..ମୋହ
ମୋ ସହ ସମ୍ପର୍କ ଯୋଡିଛୁ ତ
ନିନ୍ଦା ଆଉ ଅପବାଦ ସହ
ଅହର୍ନିଶ ଲୁହ ଗଡେଇବାକୁ ହେବ ତୋତେ
ସମ୍ପର୍କର ମୁଣ୍ଡିମାରିବାକୁ ତୋ ଇଚ୍ଛା ମାନଙ୍କୁ
ଲୁହ ଭିତରକୁ ଡେଇଁବାକୁ ହେବ ବାରମ୍ବାର
ଲୁହରେ ଜୀବନ ଥାଏ ମରଣ ତ ଜମା ନୁହଁ
ତେଣୁ ନିଷ୍ଠୁର ପଥୁରିଆ ଛାତି ପତଉନି ଜମା
ନିହାତି ଲୋଭୀଟେ ପରି ବରଂ
ହାଣ୍ଡି ଆଟିକା ବଢ଼େଇଦଉଛି
ଆଖି ଆଗରେ ଯେତେ ପାରୁଛୁ କାନ୍ଦ
ଦୁଃଖ ସବୁକୁ ମୁଁ ଛାଣିନେବାପରେ
ଲୁହସବୁ ପାଣି ହୋଇଗଲେ
ମରିଯିବାକୁ ବସିଥିବା ଆମ ସଂପର୍କର
ଶୁଖିଲା ଭାତ ସବୁକୁ
ପଖାଳିନେବାକୁ ହେବ ସେଥିରେ
ଏବେ ଦେଖିବୁ ଯନ୍ତ୍ରଣାରେ ବି
ସମ୍ପର୍କଟେ ଗଣ୍ଡେ ପଖାଳ ହୋଇ ବଞ୍ଚିବ ତ
କେବେ ହାଣ୍ଡିଆ ହୋଇ ପଚିବ..ସଢ଼ିବ
ତାକୁ ପିଇ ଭଙ୍ଗା କୋଣାର୍କ ପରି
ସମ୍ପର୍କଟେ ପାଇଁ ବି
ମତୁଆଲା ହେଉଥିବେ ସମସ୍ତେ
ହାଟ ଠୁ ବାଟ ପର୍ଯ୍ୟନ୍ତ
କୋଣାର୍କର ଦେହରେ ମୁଁ ସେଇମିତି
ପଥର ହୋଇ ଲୁହା ଖୁଣ୍ଟିକୁ ଭରାଦେଇ
ଲଟକି ରହିଥିବାବେଳେ
ତୁ ହୁଏତ ଦୁଃଖ କରୁଥିବୁ
ତୋ ପାଇଁ ସୁଖର
ତାଜମହଲଟେ ଗଢିପାରିଲିନି ବୋଲି
-