ଆଜି ଭାରି ମନେ ପଡେ
ଆଜି ଭାରି ମନେ ପଡେ
ଭଲ ଲାଗେ ମୋତେ ମୋ ଗାଁ ମାଟିର
ମହକରେ ଭରା ବାଟ
ଆଜି ମନେ ପଡେ ସେ ଦିନର କଥା
ଚାହାଳୀରେ ପଢା ପାଠ ।
ଗାଁ ହାଟ ବାଟ ନଈ ଇର ସେ ଘାଟ
ଆଜି ଭାରି ମନେ ପଡେ
ହୋଲି ଦିୱାଲୀର ଗାଁର ସେ କଥା
ଟାଣେ ମନ ଗାଁ ଆଡେ ।
ଗାଁ ସାଙ୍ଗ ସାଥି ଭୋଜି ଭାତ ନୀତି
ଆଜି ଭାରି ମନେ ପଡେ
ଗାଁର ଯାତରା ମେଳନ ଅପେରା
ଦଶରା ବି ମନେ ପଡେ ।
ଖୁଦୁରୁ କୁଣିରୁ ମାଣ ଓଷା ଯାଏଁ
ଗାଁ ରେ ଗହଳି ଲାଗେ
କୁଆଁର ପୂନେଇଁ ଜହ୍ନ ଆଲୁଅରେ
ପାଳ ଭୁତ ଭଲ ଲାଗେ ।
ଗାଁର ସେଦିନ ସ୍ବପ୍ନ ପରି ଲାଗେ
ଆଜି ତାଠୁ ବହୁ ଦୂରେ
ସେ କଥା ଭାବିଲେ କାହିଁ କି କେଜାଣି
ନୟନ ଲୋତକେ ପୁରେ ।