କିଛି ଅନୁଭୁତି
କିଛି ଅନୁଭୁତି
କମଳ କୁମାର ଦାଶ (୧୯୮୧ ବ୍ୟାଚ )
ଆମ ବି ଜେ ବି ହାଇ ସ୍କୁଲର ୧୨୫ ବର୍ଷ ପୂର୍ତ୍ତିର ଏହି ମୁହୂର୍ତ୍ତଟି ଯେ କେତେ ଭାବପୂର୍ଣ୍ଣ ଆଉ କେତେ ଅମୂଲ୍ୟ, ତାହା ସାଙ୍ଗ ମାନ ଙ୍କ ମନ ରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ୪୫ ବର୍ଷ ତଳର ସେହି ଦିନଗୁଡ଼ିକ ଆଖି ଆଗରେ ପୁଣି ଥରେ ଜୀବନ୍ତ ହୋଇ ଉଠିବା ପ୍ରକୃତରେ ଏକ ଅଦ୍ଭୁତ ଓ ରୋମାଞ୍ଚକର ଅନୁଭୂତି।
ରଘୁ ,ଦିବାକର ,କାଳିଚରଣ ପଟନାୟକ ,ସଚ୍ଚି ରାଉତରାୟ,ମାୟାଧର ମାନସିଂହଓ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଭଳି ମହାନ୍ ପୁରୁଷଙ୍କ ପ୍ରତିମୂର୍ତ୍ତି ଆଗରେ ଠିଆ ହେଲା ବେଳେ ଛାତି ଗର୍ବରେ ଫୁଲିଉଠିଲା—ଏହି ମାଟି ତ ଆମକୁ ଶବ୍ଦ ଆଉ ସଂସ୍କାରର ପ୍ରଥମ ପାଠ ପଢ଼ାଇଥିଲାଏ ଭଳି ମହାନ୍ ପ୍ରତିଭାଙ୍କ ସ୍ମୃତିକୁ ସେହି ପରିସରରେ ଅନୁଭବ କରିବା ସତରେ ଗର୍ବର ବିଷୟ।
* ସମୟର ବାଟରେ ଆମେ:
ରମେଶ ସାର୍ ଓ ପୃଷ୍ଟି ସାର୍ଙ୍କ ପାଖରେ ମୁଣ୍ଡ ନୁଆଁଇଲା ବେଳେ ମନେହେଲା, ତାଙ୍କର ସେହି ସ୍ନେହଭରା ଆଖିରେ ଆଜି ବି ଆମେ ତାଙ୍କ ଆଗରେ ସେହି କଅଁଳ ଛାତ୍ର | ଆଜିବି ତାଙ୍କ ଆଖିରେ ଆମପାଇଁ ଅସୁମାରୀ ସ୍ନେହ ଓ ଆଶୀର୍ବାଦ |
କାଲି ଭଳି ଲାଗୁଛି ସେଦିନ, ଅନେକ ସ୍ୱପ୍ନ ଆଉ ଆଖିରେ ଖେଳପଡ଼ିଆର ଝଲକ। ଚାହୁଁଚାହୁଁ ସ୍କୁଲ ଛାଡିବାର ୪୫ଟି ବସନ୍ତ ବିତିଗଲାଣି , ଜୀବନର ଟ୍ରେନ୍ କେତେ ଯେ ଷ୍ଟେସନ୍ ଆଉ କେତେ ଛକ ପାରି ହୋଇଗଲାଣି । କିନ୍ତୁ ଆଜି ସେହି ଫାଟକ ଭିତରେ ଗୋଡ଼ ଦେଲା ମାତ୍ରେ ବୟସର ସବୁ ବୋଝ ଯେମିତି କେଉଁଆଡ଼େ ଉଭେଇଗଲା; ଲାଗିଲା ଆମେ ପୁଣି ସେଇ ଧୂଳିବୋଳା ପିଲାଟି ଦିନକୁ ଫେରିଯାଇଛୁ, ଆଉଟ ଥ୍ୟାଟ କହି ଚିଲାଉଛୁ ଓ ହିମାଳୟ ସିମେଣ୍ଟ ମ୍ୟାପ ଉପରେ ବସି ବହୁତ ଥଣ୍ଡା ଲାଗୁଚି କହୁଚୁ | ଯେଉଁ ପଡ଼ିଆରେ ଦିନେ ଧୂଳି-ମାଟି ଉଡ଼ାଇ ହକି, କ୍ରିକେଟ୍ ଆଉ ଫୁଟବଲ୍ ପଛରେ ଗୋଡ଼ାଉଥିଲେ, ସେଠାରେ ଆଜି ଏତେ ବଡ଼ ମଞ୍ଚ ସଜା ହେବା ଏବଂ ପିଲାଦିନର ସେ ବରଗଛ ଯାହା ତଳେ ବହି ଖାତା ରଖି ଦେଇ କବାଡି ଖେଳୁଥିଲୁ ଓ ସ୍କୁଲ ଗେଟ୍ ସାମ୍ନାରେ ପୁରୁଣା ସାଙ୍ଗମାନଙ୍କ ସହ ଠିଆ ହେବା —ଏହା ସମୟର ଏକ ଚମତ୍କାର ଅନୁଭୂତି ।
* 'ଅବକାଶ' ସହ ପୁରୁଣା ସମ୍ପର୍କ:
ଦିନେ ଯେଉଁ ସ୍କୁଲ ପତ୍ରିକା ‘ଅବକାଶ’ରେ ପ୍ରଥମ କବିତାର କଅଁଳ କଢ଼ି ମେଲିଥିଲା, ଆଜି ୧୨୫ ବର୍ଷର ଇତିହାସ ପୃଷ୍ଠାରେ ନିଜର କଲମର ଛାପ ଦେଖି ମନ କୃତଜ୍ଞତାରେ ଭରିଗଲା। କାଗଜ ହଳଦିଆ ପଡ଼ିଯାଇପାରେ, ପିଲାଙ୍କ କୋଳାହଳ କମିଯାଇପାରେ, କିନ୍ତୁ ଏହି ବି.ଜେ.ବି. ହାଇସ୍କୁଲର ମାଟି ଯେଉଁ ଜୀବନବୋଧ ଶିଖାଇଛି, ତାହା ଆଗାମୀ ଯାତ୍ରାରେ ବି ଆଲୋକବର୍ତ୍ତିକା ହୋଇ ରହିବ।
ରାତି ବଢ଼ୁଥିଲା ,ଆଶିଷ, ମନୋଜ, ମନୋରଞ୍ଜନ, ବଦ୍ରୀ, ସିତୁ , ରମା.ଧିରେନ୍ଦ୍ର .. ସମସ୍ତଙ୍କ ସହ ମିଳାଇ ବିଦାୟ ନେଇ ଆମେ ବାହାରିଲୁ ଭୁବନେଶ୍ୱର , କିନ୍ତୁ ମନ ସ୍କୁଲ ଛାଡିବାକୁ ଚାହୁଁ ନଥିଲା , ଆଖିରୁ ଖସିପଡ଼ିଥିବା ସେହି ଲୁହ କହୁଥିଲା ଆମେ ଯେତେ ବଢ଼ିଲେ ବି ସ୍କୁଲ ଆଗରେ ସବୁଦିନ ସେଇ ପିଲାଟିଏ ହୋଇ ରହିଥିବୁ।
ଖୋର୍ଦ୍ଧା ସହର ପଛରେ ଛୁଟି ଚାଲିଥିଲା, ଆଉ ଗାଡ଼ିର କାଚ ସେପଟେ ଝାପ୍ସା ହୋଇ ଉଠୁଥିଲା ଚିହ୍ନା ବାଟଘାଟ। ହାତ ପାପୁଲିରେ ସେହି ୧୨୫ ବର୍ଷର ସ୍ମାରକୀ ଟି-ସାର୍ଟ ଆଉ ‘ଅବକାଶ’ ପତ୍ରିକାଟିକୁ ଜାବୁଡ଼ି ଧରିଲା ବେଳେ ଲାଗୁଥିଲା, ମୁଁ କେବଳ ଗୋଟିଏ ବହି ନେଇ ଫେରୁନି—ନିଜ ପିଲାଦିନର ଗୋଟେ ଖଣ୍ଡ ଛାତିରେ ଚାପି ଧରି ଫେରୁଛି।
ପଛରେ ରହିଗଲା ଆମ ସ୍କୁଲର ୧୨୫ ବର୍ଷ ପୂର୍ତ୍ତିର ଉତ୍ସବ, ଗେଟ୍ ପାଖରେ ଗର୍ବରେ ଉଡ଼ୁଥିବା ବିରାଟ ତ୍ରିରଙ୍ଗା, ଆଉ ମନ ଭିତରେ ଖାଲି ହୋଇଗଲା ଭଳି ଲାଗୁଥିବା ସେହି କ୍ରାଫ୍ଟ ରୁମ୍ ଆଉ ମିଠା ପାଣିର ଶୀତଳ କୂଅ ସ୍ମୃତି |
ଗାଡ଼ିର ଗତି ବଢୁଥିଲା, ରାତି ର ପବନରେ ଖୋର୍ଦ୍ଧାର ମାଟି ମୋତେ ବିଦାୟ ଜଣାଉଥିଲା। ପଛକୁ ଚାହିଁ ମନେ ମନେ କହିଲି—ହେ ମୋର ପ୍ରିୟ ସ୍କୁଲ, ଶରୀର ସିନା ଫେରିଆସୁଛି, କିନ୍ତୁ ମୋ ଆତ୍ମାର ଗୋଟିଏ ଅଂଶ ସେହି ବରଗଛ ମୂଳରେ, ସେହି ଖେଳପଡ଼ିଆରେ ସବୁଦିନ ପାଇଁ ଛାଡ଼ିଦେଇ ଗଲି।
