କାଶତଣ୍ଡି
କାଶତଣ୍ଡି
ଏତେ ଫୁଲ ଜାତି ଜାତି ତୁ ପ୍ରିୟ ହେଲୁ କେମିତି
ଦଣ୍ଡେ ବୁଲି ଚାହେଁ ପଥଚାରୀ
ନାହିଁ ମାଳି ନିଏ ନାହିଁ କେହି ତୋଳି ଯେମିତି
ଲାଗି ଦେବତାର ମନୋହାରୀ
ଗୁନ୍ଥେ ନାହିଁ କେହି ତତେ ନିଏନା ଚାଙ୍ଗୁଡ଼ି ସାଥେ
କବିର ନୟନତାରା ପରି
ବାସ ଥାଉ କି ନଥାଉ ମୁଣ୍ଡ ହଲାଇ ଡାକୁ ଥାଉ
ସତେକି ସତେଜତା ଭରି
ତୋ ତୁଳନା କଳନା କରିନି ଏଯାଏଁ କେହି
ଯେଣୁ ତୁ ହସୁ କିରିକିରି
ପାର୍ବଣ ଋତୁ ଆସେ ବରଷକେ ଥରେ ସତେ
ମାଆ ଦୁର୍ଗାଙ୍କୁ ଥାଉ ସ୍ମରି
କିଏ କହେ ଅପସରୀ ଅବା ମନଲୋଭା ଭାରି
ପଡୁନାହିଁ କେବେ ଲୋଟି ଝରି
ନଇପଠା ପକାଉଠା ତୋ ପାଇଁ ସବୁ ମିଠା
ପ୍ରକୃତିର ପଦ୍ମବନ ପରୀ
ଦେବତା ମୁଣ୍ଡେ ନଲାଗି ପାହାଡି କନ୍ୟା ସହଭାଗୀ
କୋଉ ଫୁଲ ତୋ ସମ ସରି
ମାଆ କଲ୍ୟାଣୀ ଦୁର୍ଗା ନବଦିନ ବ୍ୟାପି ପାର୍ବଣୀ
ହସୁ ଖିଲି ଖିଲି ଶୁଭ୍ରବସ୍ତ୍ରା ପରିଣୀତା ପରି
ମାନସପଟ ନାୟିକା ଦେଉନା କାହାକୁ କେବେ ଧୋକା
ତୋ ଜାଗାରେ ତୁ ଠିକ୍ ଠାକ୍ ଭାରି ।