ଗାଆଁ ମଶାଣି
ଗାଆଁ ମଶାଣି
ଗାଆଁ ଶେଷ ମୁଣ୍ଡେ ଖୋଲା ଛାତ ତଳଟିରେ
ଗାଆଁ ମଶାଣିଟି ରହିଅଛି ନିରୋଳାରେ
ପୂଣ୍ୟମୟ ସେହି ସ୍ଥାନ
ଜୀବନର ଅନ୍ତେ କୋଳାଏ ସଭିଙ୍କୁ ଜାଣ ll
ନାହିଁ ତାର ପାଶେ ଜାତି ପ୍ରୀତି ଭେଦଭାବ
ନାହିଁ ତା ବିଚାର ଧନୀ ଅବା କେ ଗରିବ
ବୟସ ବୁଝେନା ସେହି
ସମସ୍ତଙ୍କୁ ସେ ତ ସମଭାବ ଥାଏ ବହି ll
ଗାଡିବା ମଟର ଲୋଡ଼ା ନୁହେଁ ଯିବା ପାଇଁ
ଦି ଖଣ୍ଡ ବାଉଁଶେ ବନ୍ଧା ହୁଏ ସେ କୋକେଇ
ତାରି ଉପରେ ଶୋଇ
ମାନବ କରଇ ଶେଷ ଯାତ୍ରା ତାର ଭୂଇଁ ll
ଗାଆଁ ମଶାଣିଟି ଭୟ ଲାଗେ ସନ୍ଧ୍ୟା ହେଲେ
ଜେଜେ ମାଆ ଗପ ମନେ ପଡେ ଶୁଣିଥିଲେ
ଅତୃପ୍ତ ଆତ୍ମା କାଳେ
ରହିଥାଏ ପାଖ ବରଗଛର ସେ ଡାଳେ ll
କେତେ ଯେ ସମାଧି ଗଢ଼ା ହୋଇଅଛି ତହିଁ
ତୁଳସୀ ଗଛକୁ ମୁଣ୍ଡରେ ତାହାର ବହି
ଶ୍ରାଦ୍ଧ କର୍ମ ଦିନଟିରେ
ଆତ୍ମୀୟମାନେ କରନ୍ତି ପୂଜନ ସେଠାରେ ll
ଯିଏ ଯେତେ ବଡ଼ ଅମୀର ହେଉ ପଛକେ
ଶେଷ ଶଯ୍ୟା ତାର ଶମଶାନଟିର ବୁକେ
ପ୍ରଣତି ତାକୁ ଜଣାଉ
ସାରା ଗାଆଁ ଟିରଶେଷ ବେଳ ଆଶ୍ରା ସେହୁ ll