ଅନ୍ଧ ବିଶ୍ୱାସ
ଅନ୍ଧ ବିଶ୍ୱାସ
ଯୁକ୍ତିଯୁକ୍ତ ତଥ୍ୟ ପ୍ରମାଣ ନଥାଇ
ବିଶ୍ୱାସ କରୁ ଯାହାକୁ,
ଅନ୍ଧ ବିଶ୍ୱାସଭାବେ ଜଣାଶୁଣା
କହିଥାନ୍ତି ଲୋକ ତାକୁ l
ସମାଜ ମଧ୍ୟରେ ଅନେକ ଯେ ପ୍ରଥା
ଏହି ଭଳି ପ୍ରଚଳିତ,
ସଭ୍ୟ ଜଗତର ଆଚରଣ ଦେଖି
ହୋଇଥାଉ ମର୍ମାହତ l
ଉଆଁସ ତିଥିରେ ଜନମିଲା ଝିଅ
ବିବାହରେ ବାଧା ଆସେ,
ସମାଜରେ ଅପନିନ୍ଦା ପାଇଥାଏ
ମିଛରେ ଜନମ ଦୋଷେ l
ଯିବା ପଥେ ଯଦି ଅତିକ୍ରମ କରେ
ବିଲେଇ ରାସ୍ତାରେ ଆମ,
ଆମେ ଭାବିଥାଉ ଯିବା ନାହିଁ ଆଉ
ବିଗିଡି ଗଲାଣି କାମ l
ତନ୍ତ୍ର ମନ୍ତ୍ର ଆଉ ଗୁଣୀ ଟୁଣୀ ନାମେ
ଚାଲେ ହତ୍ୟା ବିଭୀଷିକା,
ଅନ୍ଧ ବିଶ୍ୱାସର ଜାଲେ ଛଟପଟ
ଶକ୍ତିହୀନ ପ୍ରାଣୀ ଏକା ।
ସର୍ପାଘାତ ଅବା ରୋଗଜାତ ହେଲେ
ଡାକ୍ତର ଖାନା ନଯାଇ,
ଝଡା ଫୁଙ୍କା ଆଦି କରୁଥାନ୍ତି ନେଇ
ଅନ୍ଧ ବିଶ୍ୱାସ ର ପାଇଁ l
ଠାକୁରାଣୀ ଙ୍କର ନାମରେ ମିଛରେ
ପକାଇଥାଆନ୍ତି ବଳୀ,
ସବୁ ପ୍ରାଣୀ ଠାରେ ଈଶ୍ୱରଙ୍କ ବାସ
ତାହାକୁ ଯାଆନ୍ତି ଭୁଲି l
ଅନ୍ଧ ବିଶ୍ୱାସର ପ୍ରଚାର ପ୍ରସାର
ସମାଜରେ କର ନାହିଁ,
ବିଚାର ସମ୍ମତ ବିଜ୍ଞାନର ବାର୍ତ୍ତା
ମାନ ବିବେକ ଖଟାଇ l
