ସାବଧାନତା
ସାବଧାନତା
ସାବଧାନତାର ଅଙ୍କୁଶଟି ଲୋଡ଼ା
ଜୀବନର ପ୍ରତି କାଳେ,
ନୀତି ନିୟମର ନିଗଢ଼ ବନ୍ଧନେ
ସଂସାର ନଉକା ଚଳେ l
ଖାଦ୍ୟ ଗ୍ରହଣ ରେ ଅସାବଧାନ ରେ
ଶରୀର ହୁଏ ଅସୁସ୍ଥ,
ଅତି ଖାଦ୍ୟ ଅବା ଦୂଷିତ ଖାଦ୍ୟକୁ
ଗ୍ରହଣ ନୁହେଁ ଉଚିତ l
ରାସ୍ତାରେ ରହିବା ସାବଧାନ ସଦା
ଗମନାଗମନ ବେଳେ,
ରାସ୍ତାରେ ବିପଦ ହୁଏନି ସମ୍ଭବ
ନିୟମ କୁ ମାନୁଥିଲେ l
ଦୀପାବଳି ବେଳେ ସାବଧାନତାରେ
ବାଣ ଆଦି ଫୁଟାଇବା,
ନିଜ ଅଙ୍ଗ ଠାରୁ ଦୂରେ ରଖି ତାକୁ
ପ୍ରଜ୍ଜଳିତ କରୁଥିବା l
ବାକ୍ୟରେ ସଂଯମତା ନରହିଲେ
ଶୁଣିବା ଲୋକ କୁ କଷ୍ଟ,,
ଶବ୍ଦ ମାନଙ୍କ ର ସତର୍କ ପ୍ରୟୋଗେ
ବନ୍ଧୁତ୍ୱ ହୁଏନି ନଷ୍ଟ l
ପାକ କ୍ରିୟା ହେଉ ଅବା କଟା କଟି
ସାବଧାନ ସବୁଠାରେ,
ହାତ କଟିଯିବା ଅବା ପୋଡିହେବା
ବିପଦରୁ ରକ୍ଷା କରେ l
ବରଷା ଦିନରେ ଖସଡ଼ା ସ୍ଥାନରେ
ଚାଲିବା ସହଜ ନୁହେଁ,.
ସାବଧାନଯଦି ନହୋଇବା ତହିଁ
ପଡିଯିବା ଭୟ ଥାଏ l
ବାଳୁତ ବେଳେ ବା ବୟସ ଆଧିକ୍ୟେ
ସାବଧାନ ନହୋଇଲେ,
ପଡିଯାଇ ଶରୀର ର କ୍ଷୟ କ୍ଷତି
ବିପଦ ଟି ସର୍ବ କାଳେ l
ଯୌବନ କାଳରେ ଚଞ୍ଚଳ ମନଟି
ପାଦ ଖସିଯିବା ଭୟ,
ମନସ୍ଥିର କରି ବିବେକ ଖଟାଇ
ଚଳିଲେ ହୁଅଇ ଜୟ l
ସାବଧାନ ହେବା ଶିଖାଇ ଥାଆନ୍ତି
ଗୁରୁ ଗୁରୁଜନ ମାନେ,
ତାଙ୍କ କଥାମାନି ଚଳିଲେ ସଭିଏଁ
ବାଧା ନ ଆସେ ଜୀବନେ l
