ସୁନେଲି କ୍ଷେତ
ସୁନେଲି କ୍ଷେତ
ହେମନ୍ତ ର ଶେଷେ ଶୀତ ଆସିଯାଏ
ପାଚିଯାଏ କ୍ଷେତେ ଧାନ,
ସୁରମ୍ୟ ଦିଶଇ ପ୍ରକୃତି ଆମର
ଆହାକି ହଳଦୀ ବର୍ଣ୍ଣ l
ସୁନେଲି ଦିଶଇ କ୍ଷେତ ବାଡ଼ି ସବୁ
ସୁନା ଫସଲକୁ ଧରି,
ପବନରେ ଧୀରେ ଦୋହଲୁ ଥାଏସେ
ଯେସନ ସ୍ବର୍ଣ୍ଣ ଲହରୀ l
ପକ୍ୱ ହୋଇଥାଏ ଧାନ ଗଛପରେ
ଦେଖି ଲାଗୁଥାଏ ଖୁସି,
କୃଷକ ଭାଇ ଟି ସଜବାଜ ହୁଏ
ଅମଳ କରିବ ହସି l
ଖଳା ସଫା କରି ଧାନକୁ ବାଡେଇ
ବରଷକ ପାଇଁ ରଖେ,
ମାଆ ଲକ୍ଷ୍ମୀ ଙ୍କର ଚିତା ଝୋଟି ଆଙ୍କି
ପ୍ରଣମେ ତାଙ୍କରି ପାଖେ l
ପକ୍ଷୀ ମାନଙ୍କର ମେଳ ଲାଗିଯାଏ
ଧାନ ଖୁଣ୍ଟି ଖାଇବାକୁ,
ପ୍ରକୃତି ଖଞ୍ଜିଛି ଯାହାକୁ ଯେପରି
ପ୍ରାଣ ତାଙ୍କ ବଞ୍ଚିବାକୁ l
ସୋରିଷ କ୍ଷେତରେ ଫୁଲ ଫୁଟିଥାଏ
ହଳଦୀ ରଙ୍ଗ କୁ ଧରି,
ସୁନାର ଅଳସୀ ଅଳସ ଭାଙ୍ଗଇ
ଦକ୍ଷିଣା ଞ୍ଚଳେ ଆମରି l
ହଳଦୀ ରଙ୍ଗରପାଟ ପିନ୍ଧିଛିକି
ସତେ ଆମ ମାଟି ମାଆ,
କିସୁନ୍ଦର ଦିଶେ ପ୍ରକୃତି ଆମର
ଉତ୍ତର ରୁ ବହେ ବାଆ l
କୃଷିପ୍ରଧାନଆମ ରାଜ୍ୟ ଓଡିଶା ଟି
ମୁଖ୍ୟ ଫସଲ ତା ଧାନ,
ଧାନରୁ ଚାଉଳ ବାହାର ହୁଅଇ
ଚାଉଳରୁ ହୁଏ ଅନ୍ନ l
ପଶ୍ଚିମଓଡିଶା ନୂଆ ଚାଉଳରେ
ନୂଆ ଖାଇ ପର୍ବ ମାନେ,
ମାର୍ଗଶିର ମାସେଲକ୍ଷ୍ମୀ ସେର ବସେ
ଉପକୂଳେ ନୂଆ ଧାନେ l
ମାଆ ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ
ହଳଦୀ ରଙ୍ଗଟି ପରା,
ପ୍ରକୃତି ସଜାଇ ରଖିଛି ସେପାଇଁ
ହଳଦୀ ଫୁଲ ପସରା l
