କାକର ବିନ୍ଦୁ
କାକର ବିନ୍ଦୁ
ଶୀତ ସକାଳର କାକର ବିନ୍ଦୁ ମୁଁ
ଅଳପ ଦିନର ଗଳପ ମୋର,
ଆକାଶରୁ ଝରି ମାଟି ଶେଯ ଛୁଏଁ
ସଜାଇ ପ୍ରୀତିର ଉପହାର l
ସୂର୍ଯ୍ୟ ର କଅଁଳ କିରଣ ପଡିଲେ
ଝଲସି ଉଠଇ ମୋହରି ଆଭା,
ହୀରା ନୀଳାମୋତି ମାଣିକ ପରାଏ
ଦିଶଇ ସତରେ କି ମନଲୋଭା l
ଶୁଷ୍କ ଦୁର୍ବାଦଳ ହୋଇ ପଲ୍ଲବିତ
ପାଇଲେ ଟିକିଏ ପରଶ ମୋର,
ଭେଦାଇ ଦିଏ ମୁଁ ଶୁଷ୍କ ମୂର୍ତ୍ତିକା କୁ
ହେଲେବି ଜଳ ମୁଁ ଅଳ୍ପ ମାତର l
ନାହିଁ ମୋର ବଳ ବୁନ୍ଦାଏ ମୁଁ ଜଳ
ବହି ଯିବା ପାଇଁକ୍ଷମତା କାହିଁ?
ପତର ଉପରେ ଜୀବନ ମୋହର
ଶେଷ ମୁହୂର୍ତ୍ତ କୁ ଥାଏ ମୁଁ ଚାହିଁ l
ସହିପାରେ ନାହିଁ ଟାଣ ଖରା ମୁହିଁ
ଶୁଖି ଯାଏ ନିମିଷକମଧ୍ୟରେ,
ତଥାପି ଶୀତର ମିତ ଟିଏ ମୁହିଁ
ଝରୁ ଥାଏ ପ୍ରତି ଶୀତ ଋତୁରେ l
ଫୁଲ ର ଉପରେ ପଡି ମୋର ବୁନ୍ଦା
କୀଟ ପତଙ୍ଗ ଙ୍କୁ ଆନନ୍ଦ ଦିଏ,
ଫୁଲର ଶୋଭା ଟି ବଢ଼ି ଯାଇଥାଏ
ମୋହରି ପରଶ ଯେବେ ସେ ପାଏ l
ଆୟୁଷ ଅଳ୍ପ ହେଉ ପଛେ ଆମ
ଚାଲ କରିଯିବାକିଛି କରମ,
କାହାର ମନରେ ଖୁସି ଦେଲେ ଟିକେ
ହୋଇଥାଏ ପରା କୋଟି ଧରମ l
