ପୂରା ଭୁଲି ଗଲ
ପୂରା ଭୁଲି ଗଲ
ପୂରା ଭୁଲି ଗଲ !
ଇଏ ଅଭିଯୋଗ ଥିଲା
ସେଥିରେ ଦରଦ ବି ଥିଲା
ସ୍ଥିତି ସହିତ ମତେ
ପରିଚିତ କରାଇବା ଉଦ୍ଦେଶ୍ୟ ବି ଥିଲା
ଭାବିବାକୁ ବାଧ୍ୟ କରିଦେଲ
ସତରେ ମୁଁ
ଆଗ ପରି "ମୁଁ" ହୋଇ ଅଛି ତ ?
ଏ ସମୟ ବି ଏପରି ନା !
ଜୀବନଟା ଯେମିତି
ଦୁଇ ବର୍ଷ, ପାଞ୍ଚ ବର୍ଷ , ଆଠ ବର୍ଷ
ସମୟର କେଇ ବ୍ଲକ ଇଟାରେ ଗଢ଼ା
ଆଉ ଯେମିତି ମିନିଟର ଇଟା ଗୁଡିକୁ
ନେଇ ମୋର ପ୍ରତି ଦିନ
ଯେମିତି ଯକ୍ଷ୍ମା ରୋଗୀର ଜୀବନ
କେଇ ଲକ୍ଷ
ଖୁଁ ଖାଁ ଧଇଁ କାଶର ସମଷ୍ଟି
ଯଦି ମୋ ମନର ମ୍ୟାପ ପଢି ପାରନ୍ତ
ତୁମର ସେ ଅଭିଯୋଗ ରହିବନି ।
ଦେଖି ପାରନ୍ତ ସେ ଇଟା କନ୍ଦିରୁ
ଘାସଟିଏ ବାଟ ଆଡେଇ
ବାହାରିବାର ସମ୍ଭାବନା
କେତେ କମ୍ ଥିଲା
କିନ୍ତୁ ମୁଁ ବି ଦୁଃଖିତ
ଜୀବନ ତ ଶେଷରେ ହାରିଯାଏ
ଯାହା ପାଇଁ ଯେତେ ମିଛ ଦୌଡ
ମିଛ ଦଅଗଞ୍ଜ !
ବଢି ଛାଡି ଗଲେ
ପାଣି ସୁଅ ଶେଷରେ ଓହ୍ଲେଇ ଯାଏ
ନଈର ଛାତିକୁ
କୂଳର ତାଳ ତମାଳ ବନ
ଯାହାର ଆଶ୍ଲେଷରେ
ଥରେ ନିମଗ୍ନ ହୋଇଥିଲା ଏ ନଈ
ଦୌଡ଼ିବେ କେଉଁଠିକୁ ?
ସେଇଠି ହୁଅନ୍ତି ଠିଆ
ଅପେକ୍ଷା କରିବେ
ଆଉ ଏକ ବନ୍ୟାକୁ
ଆଉ ଏକ ଜୁଆରକୁ
ମନର ଆଉ ଏକ ଉଛ୍ୱାସକୁ
ସେହି ଅଜଣା କୁହୁକ ଭରା
ସ୍ୱତଃସ୍ଫୁର୍ତ୍ତ ଆଲିଙ୍ଗନକୁ
ସେତେ ବେଳେ
ଶବ୍ଦନିସ୍ୱ ହୋଇଯାଏ ମୁଁ
ହାତ ଧରି କହିଦେବାକୁ ଇଚ୍ଛା ହୁଏ
କେବେ ବି ସତ୍ୟରେ ପରିଣତ
ହେବାକୁ ନ ଥିବା ସେହି
'ଶେଷ ସତ୍ୟ' -
କି 'ମୁଁ ତୁମକୁ ଭଲ ପାଏ'

