ପଠାଣି ସାମନ୍ତ
ପଠାଣି ସାମନ୍ତ
ସୂର୍ଯ୍ୟ, ଚନ୍ଦ୍ର,ଗ୍ରହ,ରାଶି,ନକ୍ଷତ୍ରକୁ
ନିର୍ଭୁଲ ଗଣନା କରି,
ଡାକୁଥିଲେ ଆସ ପରକ୍ଷିବ କିଏ
ବାଉଁଶ ନଳୀକୁ ଧରି ।
କେତେ କେତେ ବଡ଼ ବିଦ୍ୱାନ ଜ୍ୟୋତିଷ
ତାଙ୍କ ଗଣନାକୁ ପଢି,
ହିସାବ ତାଙ୍କର ଖୋଜି ପାଇବାକୁ
ଘୋରୁଥିଲେ ବସି ଖଡ଼ି ।
ପିଲାଦିନେ ଯେବେ ଧୂଳି ଖେଳୁଥିଲେ
ସାଥି ପିଲାଙ୍କର ସହ,
ଗଛର ଛାଇକୁ ମାପୁଥିଲେ ସିଏ
ଛାଡିଦେଇ ଖେଳ ମୋହ ।
ଆକାଶକୁ ଚାହିଁ ଦେଖୁଥିଲେ କେତେ
ଉଡି ଯାଉଛନ୍ତ ପକ୍ଷୀ,
ନିମିଷକେ ସବୁ ଗଣି ଦେଉଥିଲେ
ଥରିଏ ପକାଇ ଆଖି ।
ସବୁବେଳେ ଖାଲି ଆକାଶରେ ଆଖି
ଭୁଇଁରେ ନଥିଲା ମନ,
କେତେବେଳେ ତାରା ଉଇଁବେ ଗଗନେ
ଆସିବ ପୁନେଇଁ ଜହ୍ନ ।
ଏମିତି ଅନେକ କଥା ଭାବି ଭାବି
ବଡ ହେଲେ ଯେଉଁଦିନ,
ଲେଖିଲେ ସଂସ୍କୃତ,ସିଦ୍ଧାନ୍ତ ଦର୍ପଣ,
ପୁରାଣ,ଦର୍ଶନ ମାନ।
ନୟାଗଡ଼ ଜିଲ୍ଲା ଖଣ୍ଡପଡା ଠାରେ
ଜନ୍ମି ଥିଲେ ବୋଲି ସିଏ,
ଦେଶ ବିଦେଶରେ ଏମିତି ମଣିଷ
ଜାଣିନାହିଁ ତାଙ୍କୁ କିଏ ?
ସିଏ ଥିଲେ ଆମ ପଠାଣି ସାମନ୍ତ
ଓଡ଼ିଆଙ୍କ ଗଉରବ,
ଗାଉ ଅଛି ଆଜି ଏମାଟି, ପବନ
ପାଇ ତାଙ୍କ ସଉରଭ ।
