ନନ୍ଦ ଉତ୍ସବ
ନନ୍ଦ ଉତ୍ସବ
ସ୍ୱର୍ଗୁ ସୁମନ ବରଷେ, ନାଚନ୍ତି ଅପ୍ସରୀ l
ଦୁନ୍ଦୁଭି ବଜାନ୍ତି ଦେବେ ଡିବିଡିବି କରି ll
ଗନ୍ଧର୍ବ ଗାଆନ୍ତି ଗୀତ ବାଇ ବୀଣାବାଦ୍ୟ l
ଋଷି,ମୁନୀ,ବିପ୍ର ମିଳି ଗାଉଛନ୍ତି ବେଦ ll
ଚଉଦ ବ୍ରହ୍ମାଣ୍ଡ ଆଜି ଆନନ୍ଦେ ଅଧୀର l
ନାରାୟଣ ଜନ୍ମ ଧରି ନର କଳେବର ll
ସୁଗନ୍ଧିତ ଗନ୍ଧ ବହ ବହେ ମନ୍ଦ ମନ୍ଦ l
ଗୋକୁଳରେ ଯଶୋମତି କୋଳରେ ଗୋବିନ୍ଦ ll
ବୃନ୍ଦାବନରେ ମଧୁରେ ବାଜୁଛି ଵାଂଶରୀ l
କଦମ୍ବ, ତମାଳ, ମାଳ ଆନନ୍ଦିତ ଭାରି ll
ନନ୍ଦ ଭବନ ଆନନ୍ଦେ ପଡୁଛି ଉଛୁଳି l
ନାଚେ ନନ୍ଦ,ଯଶୋମତି ନାଚନ୍ତି ଗୁଆଳି ll
ଅନ୍ନ ଦାନ,ବସ୍ତ୍ର ଦାନ,ଧେନୁ ଦାନେ ନନ୍ଦ l
ଗାଆନ୍ତି ବିରୁଦାବଳି ଭାଟେ ଧରି ଛନ୍ଦ ll
ବାଜଇ ବାଜଣା ବାଜେ ଭେରୀ ବୀରତୂରୀ l
ମଙ୍ଗଳ ଗୀତେ ବାଜଇ ମଙ୍ଗଳ ମହୁରୀ ll
ନନ୍ଦ ଗୃହେ ପୁତ୍ର ଜାତ ପଡ଼ିଛି ଚହଳ l
ଗୋପ ଗଉଡ଼ୁଣୀ ମାନେ ବାଞ୍ଛନ୍ତି ମଙ୍ଗଳ ll
ବାଞ୍ଛା କଳ୍ପତରୁ ପ୍ରଭୁ ଜଗତର ଗୁରୁ l
କୃଷ୍ଣଚନ୍ଦ୍ର ପାରି କର ଏ ଭଵ ସାଗରୁ ll
ଅଷ୍ଟମ ଗର୍ଭ ସନ୍ତାନ ଖୋଜୁଅଛି କଂସ l
ବାଳ ମୁକୁନ୍ଦ ହସନ୍ତି ମୁଚୁକୁନ୍ଦ ହସ ll
ନମସ୍ତେ ହେ ବାଳକୃଷ୍ଣ ନମଃ ଜନାର୍ଦ୍ଦନ l
କଞ୍ଜ ପଦେ ଭକ୍ତି ଥାଉ ଏହି ନିବେଦନ ll
