ଗୁରୁଭକ୍ତି
ଗୁରୁଭକ୍ତି
ବୁଧେ ଶୁଣ ଏ ଗାଥାକୁ ଦେଇ ମନ ଧ୍ୟାନ
ଜାଣିବ ଯେ ଗୁରୁଭକ୍ତି କେତେ ଯେ ମହାନ ।।
ଗୁରୁ ମଧ୍ୟେ ଗୁରୁ ସେ ତ ଧୌମ୍ୟ ଋଷି ଜାଣ
ଶିଷ୍ୟ ମଧ୍ୟେ ସୁଶିଷ୍ୟ ତା’ ଉପମନ୍ୟୁ ନାମ।।
ଧନ୍ୟ ହେଲେ ଦୁହିଁ ଏକା ଗୁରୁଭକ୍ତି ପାଇଁ
ମହାଭାରତେ ଲେଖିଲେ ବ୍ୟାସଦେବ ଯାଇ।।
ଶିଷ୍ୟ ଗୁରୁ ଆଦେଶରେ ଗାଈ ଜଗିବାକୁ
ଯାଇ ଭିକ୍ଷାବୃତ୍ତି କଲା ପେଟ ପୋଷିବାକୁ।।
ଜାଣି ଗୁରୁ ମନାକଲେ ଭିକ୍ଷା ଭୁଞ୍ଜିବାକୁ
ତଥା କହି ସମର୍ପିଲା ସେ ସବୁ ଭିକ୍ଷାକୁ।।
ପରଦିନ ଗାଈ ରଖି ଗୁରୁଙ୍କ ସମ୍ମୁଖେ
ଗୁରୁ ପଚାରିଲେ କେଉଁ ବୃତ୍ତି କଲୁ ଏବେ?
ପୂର୍ବ ଭିକ୍ଷା ସମର୍ପି ପୁଣି ଯେ ଭିକ୍ଷାଟନ
କରୁଛି ବୋଲି ବୋଇଲା ଉପମନ୍ୟୁ ଜାଣ।।
ଏ ତ ନୁହେଁ ଯୁକ୍ତିଯୁକ୍ତ ଗୁରୁ ଯେ ବୋଇଲେ
ଉପୁଜାଅ ନାହିଁ ବାଧା ଅନ୍ୟ ଭିକ୍ଷୁକରେ।।
ଏପରି ବାରିତ ହୋଇ ଜଙ୍ଗଲରେ ଦିନେ
ବୁଲୁ ବୁଲୁ ଖାଇଲା ସେ ଅରଖ କ୍ଷୁଧାରେ।।
ଦୃଷ୍ଟିହୀନ ହୋଇକରି କୂପରେ ପଡିଲା
ଗୁରୁ ତେଣେ ବ୍ୟସ୍ତ ହେଲେ ସୂର୍ଯ୍ୟ ଅସ୍ତ ହେଲା।।
ଅଥଚ ସେ ଫେରି ନାହିଁ ଭଲା କି ରାଗରେ
ଶିଷ୍ୟ ସଂଗେ ଯାଇ ଡାକ ଦେଲେ ଯେ ବନରେ ।।
ଉପମନ୍ୟୁ ବୋଇଲା ଏ କୂପରେ ପଡିଛି
ଗୁରୁ ପଚାରିବାରୁ ସେ ସବୁ ପ୍ରକାଶିଛି।।
ଅଶ୍ୱିନୀ-କୁମାରଙ୍କୁ ପ୍ରାର୍ଥନା କରିବାକୁ
ଗୁରୁ ଏମନ୍ତେ କହିଲେ ଚକ୍ଷୁ ପାଇବାକୁ।।
ପ୍ରାର୍ଥନାରେ ପ୍ରସନ୍ନିଲେ ଦେବବୈଦ୍ୟ ଦୁହେଁ
ଏକ ପିଠା ଖାଇବାକୁ ଦେଲେ ତାକୁ ଦୁହେଁ।।
ଗୁରୁଙ୍କୁ ନ ପଚାରି ଖାଇବ ନାହିଁ ବୋଲି
ବୋଇଲାରୁ ଦୃଷ୍ଟିଶକ୍ତି ଦେଲେ ଯେ ଫେରାଇ।।
ଏହି କଥା ଶୁଣି ଗୁରୁ ପ୍ରୀତିମାନ ହୋଇ
କହିଲେ ବେଦ-ଶାସ୍ତ୍ରର ହେବ ଅଧିକାରୀ।।