STORYMIRROR

Narayan chandra Senapati

Romance

4  

Narayan chandra Senapati

Romance

ପ୍ରଥମ ପ୍ରେମର ରଙ୍ଗ

ପ୍ରଥମ ପ୍ରେମର ରଙ୍ଗ

1 min
471

କିଶୋରୀ ମନର ଉଛୁଳା ନଈଟା

ଡାକେ ଯେବେ କିଶୋରକୁ

କୁଳୁକୁଳୁ ହୋଇ ଧାଇଁ ଆସେ ସିଏ

ସରାଗରେ ଛୁଇଁବାକୁ।

ଆଖି ଦୁଇ ଯେବେ ମିଶେ ଦୁଇ ଆଖେ

ଜନ୍ମେ ବିଜୁଳି ସ୍ଫୁଲିଙ୍ଗ

ସେହି ବିଦ୍ୟୁତଟା ଦେହେ ଚରିଗଲେ

ଖେଳାଏ କେତେ ତରଙ୍ଗ।

ଆଖି ଖୋଲାଥିଲେ ଜୀଅନ୍ତା ସପନ

ବୁଜିଲେ ମିଠା ସପନ

କଳ୍ପନାରେ ବୁଲେ ବିଚିତ୍ର ବିଶ୍ୱରେ

ଭାବି ପ୍ରେମ କୁଞ୍ଜବନ।

କେତେବେଳେ ଦିଶେ ଗୋଲାପି ଗୋଲାପି

କେବେ ନାଲି ନେଳି ରଙ୍ଗ

ପ୍ରଥମ ପ୍ରେମର ରଙ୍ଗ ଆଣିଦିଏ

ପ୍ରେମର ସେ ସପ୍ତରଙ୍ଗ।

ସ୍ୱାଧୀନ ପକ୍ଷୀଟି ପରି ଘୁରେ ପ୍ରେମ

ମାନେ ନାହିଁ ବାଧା ବିଘ୍ନ

ଗୁରୁ ଗୁରୁଜନ ସମାଜ ସଂସ୍କାର

ଶୃଙ୍ଖଳାର ସଦ୍ୟ ଲଗ୍ନ।

ଦୁନିଆଁର ସବୁ ରଙ୍ଗ ଫିକାପଡେ

ଯେବେ ଲାଗେ ପ୍ରେମ ରଙ୍ଗ

ଚଢ଼େ ହିମାଳୟେ ବୁଡ଼େ ପ୍ରଶାନ୍ତରେ

ତୋଫା ଦେଇ ଅସ୍ତରଙ୍ଗ।

ପ୍ରଶଂସା ଖୋଜେସେ ଅଣୁ ଶବଦରେ

ନିନ୍ଦାକୁ କରଇ ଘୃଣା

କୁହୁକ ରଙ୍ଗ ସେ ସବୁ ଜିତିଯାଏ

ସଦା କରି ବାଟବଣା।

ଭଲ ପାଇବାର ତୁଳୀରେ ବୁଡାଇ

ଆଙ୍କେ ଯେବେ ପ୍ରତିଛବି

ପ୍ରତି ମୁହୂର୍ତ୍ତରେ ସ୍ନେହ ଶ୍ରଦ୍ଧା ଲୋଡ଼େ

ସଜାଇ ପ୍ରେମିକ କବି।

ପ୍ରଥମ ପ୍ରେମର ରଙ୍ଗ ଲେଖିଦିଏ

ଅମର ଶାଶ୍ୱତ ପ୍ରେମ

ସଫଳେ ବିଫଳେ ମଲାଯାଏ ଛୁଏଁ

ହୋଇ ସ୍ମୃତିର ମଲମ।

ସବୁ ଭୁଲେ ପଛେ ଭୁଲି ହୁଏ ନାହିଁ

ପ୍ରଥମ ପ୍ରେମର ରଙ୍ଗ

ଫାଟୁ ଏ ବସୁଧା ଛିଡୁ ସେ ଆକାଶ

ସାଜେ ସଚ୍ଚା ଅନ୍ତରଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance