ପୃଥିବୀର ଆୟୁଷ ସରିଛି
ପୃଥିବୀର ଆୟୁଷ ସରିଛି
ଆକାଶର ପୁଣ୍ୟ ଅଙ୍ଗନର
ପବିତ୍ର ଜହ୍ନ
ପ୍ରତିବିମ୍ବିତ
କଦାକାର ତୁମ ପୃଥିବୀ
ଗୋଳିଆ ସମୁଦ୍ରରେ
ଜହ୍ନର ତୋଫା ଆଲୁଅ
ମଳିନ କୁହୁଡ଼ିଆ।
ବେଳାଭୂମିରୁ ସାଉଁଟୁ ଥିଲି
ଶାମୁକା
ଶାମୁକାରେ ଖୋଜୁଥିଲି ମୋତି
ତନ୍ମୟ ଥିଲି
ଭିଜୁଥିଲି ଲହଡି ଛିଟାରେ।
ତୁମ ହସରୁ ସାଉଁଟୁ ଥିଲି
ଖୁସି ଚୁନା ଫୁଲ
ହୃଦୟରୁ ଅଣ୍ଡାଳୁ ଥିଲି
ପ୍ରେମ
ଆଖିରୁ ପଢ଼ୁଥିଲି
ମୋ ପାଇଁ ସାଇତା ସ୍ୱପ୍ନ।
ବେଶ୍ ଖୁସି ଥିଲି
ହଠାତ୍ କଣ ହେଲା କେଜାଣି
ଲହଡିରେ ଭାସି ଗଲି
ଅଥଳ ସମୁଦ୍ର ଭିତରକୁ
ହଜିଗଲା ମୋ ସତ୍ତା
ସମୁଦ୍ର ଗଭୀର ଗର୍ଭରେ।
ସମୁଦ୍ର ଗର୍ଭବତୀ
ମୋତେ ଧାରଣ କରି
ମାସ ପୁରିଲେ ବି
ମୋତେ ଆଉ ଜନ୍ମ କରି ପାରୁନି
କେଉଁଠି ଜନ୍ମ କରିବ ଯେ
ପୃଥିବୀର ବା ଆୟୁଷ ସରିଛି !
