ପ୍ରତାରଣା
ପ୍ରତାରଣା
ଲକ୍ଷେ ସପନକୁ ଫୁଲରେ ସଜାଇ
ତୋଳିଥିଲି ଛୋଟ ଘର,
ଘର ନୁହେଁ ସେ'ତ ପ୍ରୀତିର ମନ୍ଦିର
ଝରୁଥିଲା ମଧୁଝର ।
ଜଳୁଥିଲା କେତେ ପ୍ରେମର ଦୀପାଳି
ବାଜୁଥିଲା ସାହାନାଇ,
ନିଦ ପାଲିଙ୍କିରେ ସ୍ବପ୍ନ ଆସୁଥିଲା
ସଂଜ ଆସୁଥିଲା ନଇଁ ।
ଦାଣ୍ଡ ଅଗଣାରେ ଜହ୍ନ ଖେଳୁଥିଲା
ହାତ ପାପୁଲିରେ ଜ୍ୟୋସ୍ନା,
ରଜନୀଗନ୍ଧାର ମହମହ ବାସ
ଭରୁଥିଲା ଓଠେ ତୃଷ୍ଣା ।
ଲବଙ୍ଗଦ୍ବୀପର ରାଜକୁମାରୀ ସେ
ପ୍ରୀତିପୂର୍ଣ୍ଣା ପ୍ରୀତିଲଗ୍ନା,
ମୋ ମନ କାନନେ ଝରୁଥିଲା ସେ ଯେ
ପ୍ରେମର ପାହାଡୀକନ୍ୟା ।
ଅଦିନିଆ ଝଡ ଭାଙ୍ଗିଦେଲା ନୀଡ
ଢାଙ୍କିଦେଲା ଅନ୍ଧକାର,
ଅସମୟେ ଲିଭିଗଲା ରୂପାଜହ୍ନ
ଦୃଶ୍ୟହୀନ ସ୍ବପ୍ନପୁର ।
ହାତ ପାପୁଲିରେ ନେସି ହୋଇଗଲା
ପ୍ରତାରଣା ବିଷଜ୍ବାଳା,
ଜଳିଗଲା ମୋର ପ୍ରୀତି କୁଂଜବନ
ଫଗୁଣର ମୁଗ୍ଧବେଳା ।
ଚଉହଦି ମୋର ନିଃସଙ୍ଗ, ନିଃଶବ୍ଦ
ବେଳାଭୂଇଁ ଶୁନ୍ ଶାନ୍,
ସାଗରର ଉର୍ମି ଛୁଉଁ ନାହଁ ଆଉ
କରିଲାଣି ଅଭିମାନ ।
ଅବିଶ୍ବାସ ବହ୍ନି ଉର୍ଦ୍ଧ୍ବମୁଖୀ ଶିଖା
ନିଃଶ୍ବାସରେ ଯାଏ ଭରି,
ଫୁଲର ସହରେ ବୈଶାଖର ଚିହ୍ନ
ଚଉଦିଗ ଯାଏ ଘେରି ।
ସ୍ନିଗ୍ଧ ସମୀରଣ ବାଟ ଭୁଲିଲାଣି
ମରୁଭୂମି ଲମ୍ବି ଯାଏ,
ନିର୍ଜନ ଦ୍ବୀପରେ ଖୋଜେ କୋଳାହଳ
ଆଖି ଲୁହ ମାଟି ଛୁଏଁ ।
ଗଢିଥିଲି ଯେଉଁ ପ୍ରେମର କୋଣାର୍କ
ରହିଛି ସେ ସ୍ମୃତି ହୋଇ,
ପ୍ରତାରଣା କିଏ କାହାକୁ ଦେଇଛି
ସମୟ ଦେବତ କହି ।

