ପ୍ରଣୟୀ ପ୍ରେୟସୀ
ପ୍ରଣୟୀ ପ୍ରେୟସୀ
ପ୍ରିୟତମ ଯେବେ ଆସିଲ ଜୀବନେ ତନୁମନେ ଶିହରଣ
ଆଖି ସଜାଇଛି ଆଖିଏ ସପନ ଭାବନାରେ ନିତି ମଗ୍ନ
ପ୍ରୀତିର ମଳୟ ଛୁଇଁ ଛୁଇଁ ଯାଏ ବିମୋହିତ ମୋର ପ୍ରାଣ
ତୁମରି ଆସିବା ବାଟ ଚାହିଁଚାହିଁ କଟିଯାଏ ରାତିଦିନ ।
ମନ ଗହନରେ ଅସରନ୍ତି ଆଶା ଅସୁମାରି ପ୍ରୀତିରାଗ
ପୁଲକ ବିହୀନ ହୃଦୟରେ ସାଥି ଭରିଅଛ ତୁମେ ରଙ୍ଗ
ପ୍ରୀତିର ମହକ ଅଙ୍ଗେ ଅଙ୍ଗେ ବାସେ ଓଠରେ ଅକୁହା ଭାଷା
ଦେଲ କି ଇସାରା ଆନମନା ମନେ ଜାଗିଅଛି ମିଠା ତୃଷା ।
ମିଛ ରାଗରୁଷା ଅଭିମାନ ବୋଳା ଅନୁରାଗେ ମୋହାଚ୍ଛନ୍ନ
ବିରହ ବ୍ୟଥାରେ ମୁଁ ଯେ ବ୍ୟଥାତୁର ମୁଖେ ଅପେକ୍ଷାର ଚିହ୍ନ
ନୀରବେ ଏ ମନ ଖୋଜୁଛି ମିଳନ ଲଗନର ମଧୁସ୍ମୃତି
ସାଉଁଟିବି ସାଜି ପ୍ରଣୟୀ ପ୍ରେୟସୀ ଅଭୁଲା ସେ ଅନୁଭୂତି ।
ସମ୍ମୋହନ ରସେ ସମାଧିସ୍ଥ ହେବ ଛାତି ତଳ ଅବଶୋଷ
ସମର୍ପଣ ତୀରେ ପ୍ରୀତିର ମୂର୍ଚ୍ଛନା ଗୁଞ୍ଜରିବ ଚଉପାଶ ।