STORYMIRROR

Kananbala Das

Fantasy

4  

Kananbala Das

Fantasy

ପ୍ରୀତି ଲଗ୍ନା

ପ୍ରୀତି ଲଗ୍ନା

1 min
293

ତୋ ବାଙ୍କ ଚାହାଁଣି ମନ ନିଏକିଣି

     ଭୁଲି ହୁଏନାହିଁ ଅପୁର୍ବ ଠାଣି,

ତୋ ରଙ୍ଗଅଧରେ ସ୍ମିତ ହସ ଦେଖି

   ବିଭୋରିତ ମନ ହେଉଛି ପୁଣି।


ଜୀବନ ଯମୁନା ଉଜାଣି ସ୍ରୋତରେ

    କୁଟା ଖିଅ ଭଳି ଯାଉଛି ଭାସି,

ତୋ କରୁଣା ହେଲେ ସମର୍ପଣ ବଳେ

    ଉଦ୍ଧାର କରିବୁ ନିଶ୍ଚୟ ଆସି।


ଦିବ୍ୟ ଚେତନାରେ ଅଭୟ ପୟରେ

    ବ୍ୟଥାବେଦନାକୁ ସମର୍ପିଦେଇ,

ଶୁନ୍ୟତା ପ୍ରାଙ୍ଗଣେ ମନବଂଶୀ ସ୍ୱନେ

  ଦିବ୍ୟନାମଭଜେ ତୋରୂପଧ୍ୟାୟୀ।


ଭବ୍ୟ ଭାବଧାରା ନିତ୍ୟ ଉପାସନା

  ଚିନ୍ତାଚେତନାରେ ତୋର ଭାବନା,

ସ୍ଥିତି, ଅବସ୍ଥିତି ପ୍ରାପ୍ତି, ଅପ୍ରାପ୍ତିର

  ଉର୍ଦ୍ଧ୍ବରେ ରହିଛି ତୋର କରୁଣା।


ମାଧୁର୍ଯ୍ୟରେ ପୂର୍ଣ୍ଣ କାନ୍ତ କମନୀୟ

   ନିତ୍ୟ ଚେତନାରେ କୃଷ୍ଣ ଚିନ୍ତନ,

ଶ୍ରଦ୍ଧା ବିଶ୍ବାସର ଅନ୍ତିମ ଉତ୍ସ ତୁ

   ତୋର ଦରଶନେ ତୃପ୍ତ ନୟନ।


ନିଃଶବ୍ଦ ନିଶିରେ ନିରବ କୋହରେ

   ତ୍ରିଭଙ୍ଗୀ ଛନ୍ଦେ ମୁରଲୀର ସୁରେ,

ତୋର ଆକର୍ଷଣ ଭାଙ୍ଗେ ଅଭିମାନ

    ତୃଷାର୍ତ୍ତ ଜୀବନ ପରିଧି ପରେ।


ଅଚ୍ୟୁତ, ଅନନ୍ତ ଅମୀୟ, ଅତୁଟ

    ଜୀବନ ଆଧାର ଭିତ୍ତି ପ୍ରସ୍ତର,

କୃଷ୍ଣ ଭାବେ ଭାବ ପ୍ରେମ ଛନ୍ଦି ଦେଇ

   ପ୍ରୀତି ଆକର୍ଷଣେ ମଗ୍ନ ବିଭୋର।


ଜୀବନର ଉତ୍ସ ପଥ ପ୍ରଦର୍ଶକ

   ଅମୃତ ପ୍ରେମର ତୁ ପରିଭାଷା,

ତୁ ମୋର ବିଶ୍ୱାସ ଅତୁଟ ଭରସା

   ନବ ଦିଗନ୍ତର ପହିଲି ଆଶା।


ସମ୍ମୋହିତ ବଂଶୀ ନିନାଦିତ ସୁରେ

  ମୋ ସ୍ନେହ, ଶ୍ରଦ୍ଧା, ପ୍ରେମ ପବିତ୍ରତା,

ନିଃସଙ୍ଗ ଜୀବନେ ତୁ ଦିବ୍ୟ ନାୟକ

  ଏଇ ବୋଧେ ମୋ ପ୍ରେମର ଶୁଦ୍ଧତା ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy