ପ୍ରେମ
ପ୍ରେମ
ମୃତ୍ୟୁ ର ଦୁଆରେ ବସି
ସେ ଆୟୁତ ଯୁଗର
ସ୍ବପ୍ନ ଦେଖୁଥିଲେ
ଦିନେ ମୋ ସ୍ବପ୍ନ ର
ଘର ଟିଏ ହେବ,
ବାର୍ଦ୍ଧକ୍ୟ ପରେ
ମୋ ପ୍ରିୟତମା ସାଙ୍ଗେ ବଞ୍ଚିବି,
ଜୀବନର ପୂର୍ଣ୍ଣ ସରାଗ ଟେ ବାଣ୍ଟିବି
ଯାହା ଯୌବନରେ
ଅଧୁରା ପ୍ରଣୟ ଟେ
ବାକି ରହିଯାଇ ଥିବ ।
କାମର ଢେଉରେ ଭାସୁ ଭାସୁ
କାହାର ସ୍ୱରଟେ
ଅଟକାଇ ଦେଇଛି ଅନେକ ଥର
ସେଇ ତ ମୋ ପ୍ରିୟତମା
ଯାହାର ବାହୁରେ ଜୀବନର ସ୍ୱର୍ଗ,
ଯାହାର ପ୍ରେମର ଅର୍ଘ୍ୟରେ
ସେ ନିଜକୁ ଝାସ ଦେଇଛନ୍ତି
ଉଷ୍ଣ ସରାଗରେ
ନିଜ ଶରୀରକୁ ଧୌତ କରିଛନ୍ତି
ସ୍ନେହର ଚିତାଟେ
କପାଳ ରେ ଲଗାଇ
ଆଖିଠାର ମାରିଛନ୍ତି
ଓହୋ !
ଟିକେ ଧର୍ଯ୍ୟଧର ମ
ବାର୍ଦ୍ଧକ୍ୟ ଟେ ଆସିଯାଉ
ଏ ଯୌବନ ମୋ
କର୍ମର ସାଧନା
ଅବସର ନେଲା ପରେ
ବାକି ଜୀବନ ମୁଁ ତୁମ ସହ ବାଣ୍ଟିବି ।
ଆବାଧ୍ୟ ପାହାନ୍ତି ପ୍ରହର ଟେ
ଅଟକାଇ ରଖିଛି,
ତୁମ ସହ ଦୁଷ୍ଟାମୀ ରେ ମାତିବାକୁ ।
କେତେ ସାଉଁଟା ସୁଆଗ କୁ
ଭରି ରଖିଛି ନିଜ ଭିତରେ
ଜୀବନର ଅଧୁରା ରଙ୍ଗ ରେ
ତୁମେ ହିଁ ତ ଅଛ ।
ତୁମେ ଯେ ମୋ ,
ବିଧୌତ ରଜନୀ ର ଜୋଛନା
ତୁମ ଇନ୍ଦୁ ର ସ୍ମିତ ହସ ରେ
ବନ୍ଦୀ ମୁଁ ।
ବାହାରେ ମୃତ୍ୟୁର
ଠକ୍ ଠକ୍ ଶବ୍ଦ ଶୁଭୁଥିଲା
ସେ ସେଇ ଶବ୍ଦକୁ
ଅଶୁଣା କରି ଚାଲିଥିଲେ ।
ତୁ ମୋତେ ସେମିତି ଡାକିଚାଲି ଥା
ମୁଁ ମୋ ପ୍ରିୟତମା ର ଭାବନାରେ
ଏ ଅଖଣ୍ଡ ଅମୂଲ୍ୟ ସମୟ ଟା
କେବଳ ମୋ ପ୍ରିୟତମା ର ବାସ୍ନାରେ
ପୁରା ଜୀବନର ମୂଲ୍ୟ ସେତିକି ରେ ।
ମୁଁ କେମିତି ଜାଣିଲି,
ତୁ ଏମିତି ଅବେଳ ରେ ଚାଲିଆସିବୁ
ମୁଁ ତ ମୋ ପ୍ରିୟତମା କୁ
କଥା ଦେଇଥିଲି ,
ଯୌବନ ସରିଲେ,
ମୁଁ ତା'ସହ ବାକି ଜୀବନ ବିତାଇବି ବୋଲି
ତୁ ମଝିରେ ପସିଆସିଲୁ ।
ମୁଁ ତ ଏବେ କର୍ମରେ ଅଛି
ମୋ ସ୍ନେହ, ପ୍ରେମ ଆଉ ବିଶ୍ୱାସ
ସବୁ ତା'ପାଖେ ବନ୍ଧା ପଡ଼ିଛି
ଅନେକ କଥା ଅଛି କହିବାକୁ,
ଅନେକ କଥା ଅଛି ଶୁଣି ବାକୁ
ସେ ତ ଅପେକ୍ଷାରେ ମୋର ବସିଛି
କେମିତି କହିବି ତା'କୁ
ମୋର ଯେ ଆଉ ସମୟ ନାହିଁ ।
ତୁ କହୁଛୁ ମୋତେ
ତୋ ସହ ଫେରି ଯିବାକୁ
ମୁଁ ପ୍ରତିଶୃତି ଦେଇଛି
ତା'ସହ ଶେଷ ନିଶ୍ୱାସ ବାଣ୍ଟି ବାକୁ
ତାକୁ କେମିତି ମୁଁ ସାମ୍ନା କରିବି
ତୁ କହ !
ମୃତ୍ୟୁ ତ ଜିଦ୍ଦି ପୋକଟେ
ତାଙ୍କ କଥା ଶୁଣୁ ନଥିଲା
ସେମିତି ଭୟ ଦେଖାଇ ଚାଲିଥିଲା
ଶେଷରେ ସେ ଫେରି ଗଲେ
ନିସର୍ତ୍ତ ରେ କର୍ମ ଠୁ
ବାକି ସମୟ ପ୍ରିୟତମା ର
ଅନୁଭଵରେ ବଞ୍ଚିବାକୁ ।
ପ୍ରିୟଦର୍ଶୀ ଆଖିରେ
ଅନେକ ଅଫୁନ୍ତର ଭାଷା ଥିଲା,
କିଛି ସମର୍ପଣର ପ୍ରତିଶ୍ରୁତି ଥିଲା,
ଅନେକ ଭବିଷ୍ୟତର ସମ୍ଭାବନା ଥିଲା
ତେବେ ବି ଭାରାକ୍ରାନ୍ତ ମନରେ
ଦେଇଥିଲେ ସେ
ଅସମ୍ଭବ ପ୍ରତିଶୃତି ଟିଏ
ମୁଁ ତୁମ ପାଖକୁ ନିଶ୍ଚିତ ଫେରିବି
ଏ ଜନ୍ମ ପରେ
ଏକ ନିସୃତ ପ୍ରହରେ
ଯେବେ ତୁମେ ଏକାନ୍ତରେ ବଞ୍ଚୁଥିବ
ତୁମ କର୍ତ୍ତବ୍ୟ ରେ
ମୋ ନାମ ଟିଏ ବାଣ୍ଟୁଥିବ
ପ୍ରେମ ସାୟାରୀରେ
ମୋତେ ହିଁ ଲେଖୁଥିବ ।