STORYMIRROR

Bauribandhu Lenka

Tragedy

5.0  

Bauribandhu Lenka

Tragedy

ପ୍ରବଞ୍ଚନା

ପ୍ରବଞ୍ଚନା

1 min
14.5K


(1)

ଚେନାଏଁ ଫଗୁଣ ତୁମେ

ଆସିଲ ଏ ଜୀବନରେ

କେତେ ଆଶା ଆଲୋକର 

ଦୀପାଳି ଜଳାଇ,

କେତେ ଆମ୍ବ ଡାଳେ କୋଇଲିର

କୁହୁତାନେ ଗାଇ,

କେତେ କମଳିନୀ ହୃଦେ ପ୍ରଣୟର

ଆଶା ଜନମାଇ II

ଅାଗମନେ ତୁମ 

ମତୁଆଲା ମନ ମୋର

ତୁମର ପରଶ ପାଇ

ଅକୁହା ଆବେଗରେ ଧଇଁ ସଇଁ ହୋଇ

କେତେ କେତେ ଖିଆଲୀ ସ୍ୱପ୍ନର 

ଅସୁମାରୀ ଚିତ୍ର ନେଇ

କଲ୍ପନାର ପ୍ରଣୟ ସଞ୍ଚାରି

ଶ୍ରାବଣର ସବୁଜିମା ଢାଳି ଦେଇ ଦେଇ

ଅସୁମାରି ତୂଳୀ ସମାବେଶେ

ରଙ୍ଗାଇଲା ମୋର ଚଲାପଥ II

ଫଗୁଣ ଗୋ ତୁମେ

କେତେ ଯେ ପୁଲକ ଜଗାଇଲ ମନେ

ଦେଖାଇଲ କେତେ ନୂଆ ସୁନେଲି ସପନ

ଭରି ଦେଇଗଲ କେତେ କବିର କଳ୍ପନା ମନେ

ଗାଇଗଲି କେତେ ଗୀତ ସୁର ତୋଳି

ମୃଦୁ ମନ୍ଦ ମଳୟର ଛନ୍ଦେ II

(2)

କିନ୍ତୁ ଗୋ ଫଗୁଣ

କେତେ ଯେ ନିଷ୍ଠୁର ତୁମେ

ଆଗମନେ ତୁମ- 

ତୋଳିଥିଲି ଯେତେ ସୁର

ବାଇଥିଲି ଯେତେ ସାହାନାଇ

ଆଙ୍କିଥିଲି ଯେତେ ନକ୍ସା

ରଚିଥିଲି ଯେତେ ପିରାମିଡ

ପ୍ରଣୟର ଆଶା ନେଇ

ଭରିଥିଲି ଯେତେ ସବୁଜିମା

ସବୁ ହେଲା ବୃଥା II

ଉଭେଇଲା କୁହୁତାନ

ଲିଭିଲା ସେ ଆଶାର ଦୀପାଳି

ଋତୁଚକ୍ର ନିୟମରେ

କ୍ରମେ ତମେ ଅପସରି ଗଲ -

ବିଦାୟ ଜଣାଇ

ନିଦାଘର କାନେ କହି କହି II

ହଜିଲା ସେ କ୍ଷଣିକ ଉନ୍ମାଦନା

ମତୁଆଲା ନିଶା ତୁଟିଗଲା

କଳ୍ପନାର ପ୍ରିୟା ମୋର

ପ୍ରଣୟ ତା ଦୂରେ ଥାଉ

ରୌଦ୍ର ସମ ଦାରିଦ୍ର୍ୟ ମୋ ଦେଖି

ସ୍ମିତ ହାସ୍ୟେ ପରିହାସ କଲା I

ନିଦାଘର ସାଇଁ ସାଇଁ ଖରାବେଳେ

ଧାଇଁଲି ମୁଁ ଅସରନ୍ତି ମରୁପଥ

ତୃଷା ମୋ ମେଣ୍ଟିବା ଦୂରେ ଥାଉ

ହଜାଇଲି ପଥ ମୋର ମୃଗତୃଷ୍ଣା କୋଳେ II

ଫଗୁଣ ଗୋ ତୁମେ-

ଦେଇଥିଲ ସବୁ କିଛି ନେଇ ବି ଯାଇଛ I

ବିଦାୟ ବେଳାରେ ଉପହାର 

ଦେଇଗଲ କେବଳ ଏତିକି

ଶୁନ୍ୟ ଏ ଆକାଶ ଆଉ ମୁଠାଏ

ପ୍ରବଞ୍ଚନା II

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy