ଫୁଲର କଥା
ଫୁଲର କଥା
ଆଦ୍ଯା ଯାଇଥିଲା ବଗିଚାକୁ ବୁଲି
ଜେଜେଙ୍କ ସାଥୀରେ ଦିନେ,
ସୁନ୍ଦର ଫୁଲଟେ ତୋଳିବାକୁ ସିଏ
ଚିନ୍ତା କରୁଥିଲା ମନେ ।
ଲୁଚାଇ ଲୁଚାଇ ଛିଣ୍ଡାଇ ସେ ଦେଲା
ଗୋଟିଏ ଦୁଇଟି ଫୁଲ,
ଜେଜେ ରାଗିବାରୁ ଫିଙ୍ଗିଦେଲା ସିଏ
ନ ବୁଝି ତାହାର ମୂଲ ।
ରାଗ ତମ ତମ ହୋଇ ସେ ବସିଲା
ଫୁଲ ଗଛ ପାଶେ ଯାଇ,
କାନ୍ଦର ଶବଦ ଶୁଣି ଚାହୁଁଥିଲା
ଏ ପାଖ ସେ ପାଖ ହୋଇ ।
ଆଦ୍ଯା ବୋଲି ଫୁଲ ଡାକ ଦେଲା ବାରେ
ଗଛଡ଼ାଳେ ଝୁଲି ଥାଇ,
ନିଜ ନାଁ ଶୁଣି ଚମକି ଉଠି ସେ
ଉପରକୁ ଦେଲା ଚାହିଁ ।
ଦେଖିଲା ଫୁଲଟେ ଅଶ୍ରୁଳ ନୟନେ
ଦେଖୁଅଛି ଏକ ଲୟେ,
ସବୁ ଫୁଲଙ୍କର କୋହ ବି ଶୁଭୁଛି
ଠିଆ ହେଲା ଆଦ୍ୟା ଭୟେ ।
ଭୟ କର ନାହିଁ କଥା ଆମ ଶୁଣ
ଆମେ ତ ତୁମରି ପରି,
ନିରୀହ କୋମଳ ଅତିବ ସରଳ
ନିଷ୍କପଟ ଗୁଣଧାରୀ ।
ତୁମ ମାଆ ପରି ଗଛ ଆମ ମାଆ
ଆମେ ତ ଭଉଣୀ ଭାଇ,
ଅଲଗା ହୋଇଲେ ପରସ୍ପରଠାରୁ
କଷ୍ଟ ନ ପାରିବୁ ସହି ।
ବିନା ଦୋଷେ କେହି ତୁମକୁ ଦଣ୍ଡିଲେ
ମାଆଠାରୁ କଲେ ଦୂର,
କେମିତି ସହିବ କୁହ ଆଦ୍ୟା ମୋତେ
ଏତେ ବଡ଼ ଦୁଃଖ ଭାର ।
ବହିରେ ପଢ଼ିଛ ଆମେ ତ ସଜୀବ
ତଥାପି ପାରୁନ ଜାଣି,
ନୀର୍ଜିବ ସଦୃଶ ବ୍ୟବହାର କର
ତୁମେ କାହିଁ ଜାଣିଶୁଣି ।
ହାତ ଜୋଡ଼ି ଆଦ୍ୟା କ୍ଷମା ଯେ ମାଗିଲ
ଭୁଲ୍ ତା ପାରିଲା ବୁଝି,
ଜଗତ ସୁନ୍ଦର ତୁମ ଲାଗି ଫୁଲ
ପାରିଲି ଏଥର ବୁଝି ।
