ଫୁଲେଇ କବିତା ସିଏ
ଫୁଲେଇ କବିତା ସିଏ
ହେଇପାରେ ସିଏ ଆଉ କାହାପାଇଁ
ଖିଆଲି ମନର କଥା,
କିନ୍ତୁ ସେ ଭାବର ଅମୃତ ସୃଜନୀ
କବିର ଗେହ୍ଲୀ ଦୁହିତା ।
ଟିକେ ଚୁଲ୍ବୁଲି ଟିକେ ସେ ଚଗଲୀ
ଅନୁଭବୀ ମନ ପ୍ରିୟା,
ସ୍ଵପ୍ନ ମହଲର ଅପରୂପାଟିଏ
ଭାବନାର ସୂକ୍ଷ୍ମ କାୟା ।
ସଂସ୍କୃତିର ଶାଢ଼ୀ ଦେହେହୋଇ ବେଢି
ଶବ୍ଦର ପାଉଁଜି ପିନ୍ଧି,
ଅସୀମ ଆବେଗେ ପ୍ରେମ ବାଣ୍ଟିଦେଇ
ମନ କରିପାରେ ବନ୍ଦୀ ।
କେତେବେଳେତାର ମେଘମାଳାକେଶ
ଆକାଶୁଁ ଧରିତ୍ରୀ ଛୁଏଁ,
କେତେବେଳେ ବାଳ ତପନ ଉଦୟେ
ତା' ମଥା ଟିକିଲି ହୁଏ ।
କଳା ଆଭୁଷଣେ ବିମଣ୍ଡିତା କେବେ
ଗଭାର ରଜନୀଗନ୍ଧା,
କବିତା ନାଆଁରେ କବି ଲେଖନୀର
ନିଃସୃତ ଅଳକାଛନ୍ଦା ।
ବର୍ଣ୍ଣ ଚାତୁରୀରେ ଦୁଇ ପାଦ ଆଜି
ଆଗକୁ ସେ ବଢିଲାଣି,
ଚିନ୍ତା ଚେତନାର ଆଧୁନିକତାରେ
ଅସ୍ତିତ୍ବ ହରେଇଲାଣି ।
ଅନାବନା ଶବ୍ଦ ଅକ୍ଷର ମାଳାରେ
ନଗ୍ନତା ଫୁଟିଉଠୁଛି,
ଅର୍ଥ ପଦ ହୀନ ଚେତନା ବିହୀନ
ଭାବହୀନ ଲାଗୁଅଛି ।
କଳ୍ପନାର ଇଚ୍ଛା ଦେବାକୁ ଉପମା
ଆଜି କିଆଁ କୁଣ୍ଠାବୋଧ,
କାହିଁ ଆକର୍ଷଣ କାହିଁ ସେ ସ୍ପନ୍ଦନ
କାହିଁ ପୁଣ୍ୟ ବ୍ରହ୍ମନାଦ ।
ଅଳଙ୍କାର ଲାଗେ ସତେ ମୁକ୍ତାମାଳ
ଶବ୍ଦ ଫୁଲ ଗୁନ୍ଥା ହେଲେ,
କାଳଜୟୀ କବି ଅମର କବିତା
ଯାହା ଲେଖି ଯାଇଥିଲେ ।
ଯୁଗ ସାଥେ ପାଦ ପାଦ ସାଥେ ପଦ
ତାଳ ଦେଇ ଗତି କରେ,
କବି କବିତାକୁ ଜନ୍ମ କଲାପରେ
କବିତା ଚମ୍ପଟ ମାରେ ।
ସେ ହୋଇଯାଏ ପାଠକ ମନର
ନିଃଶବ୍ଦ ସ୍ଵପ୍ନ ନାୟୀକା,
ଦୁହେଁ ଅନ୍ତରଙ୍ଗ ମୁହୂର୍ତ୍ତ କଟାନ୍ତି
ନଥାଏ ମନେ ଆଶଙ୍କା ।
ପାଠକ କେବଳ କବିତା ରଙ୍ଗକୁ
ଭଲ ଭାବେ ଦେଖିପାରେ,
ସେ ହିଁ କେବଳ କବିତାର ବାସ୍ନା
ସହଜରେ ବାରିପାରେ ।
ଏମିତି ଫୁଲେଇ କବିତାଟି ସିଏ
କା' ପାଖେ ସ୍ଥିର ରହେନା,
ଯିଏ ଯେତେବେଳେ ମନବଳେଇଲା
ତାକୁ ବି କରୁନି ମନା ।
