ଫଳ ନେ ଦେଉଛି ଖାଆ
ଫଳ ନେ ଦେଉଛି ଖାଆ
କେତେ ଦିନରୁ ତୁ ବନ୍ଦୀ ଅଛୁ ଏଠି
ଏମିତି ପଞ୍ଜୁରୀ ମଧ୍ୟେ,
ମୁଁ ପାରୁଛି ତୋର ବେଦନାକୁ ବୁଝି
ବାଣ୍ଟିଦେ ସେଥିରୁ ଅଧେ ।
ମୁକ୍ତ ଆକାଶର ପକ୍ଷୀ ଭଳି ଦିନେ
ମୁଁ ବି ଉଡ଼ି ବୁଲୁଥିଲି,
କଟକଣା ତିଳେ ନ ଥିଲା ଜମାରୁ
ପଢ଼ି ଖେଳି ବଡ ହେଲି ।
ରୂପ ଗୁଣର ମୋ ଚର୍ଚ୍ଚା ଶୁଣି କେତେ
ମିଳିଲେ ଆଶାୟୀ ପାତ୍ର,
ବାପ ଘର ଗେଲବସର ସରିଲା
ହାତକୁ ହେଲି ଦି' ହାତ ।
ଦୁହିତାଟି ଦୁଇ କୁଳ ହିତ ଲାଗି
ଏଠି କିନ୍ତୁ କଥା ଭିନ୍ନ,
ନୂଆ ପରିବାରେ ଅନ୍ୟ ଚିନ୍ତାଧାରା
ପୂର୍ବ ପରିଚୟ ଗୌଣ ।
ନାହିଁ ଜମା ସ୍ଵାଧୀନତା ବୋଲି କିଛି
ବୋହୂ ଚାବି ଦିଆ ଯନ୍ତ୍ର,
ପ୍ରତିବାଦ ଆଉ ପ୍ରତିରୋଧ ମନା
ଜାଣନ୍ତି ଯେସନେ ମନ୍ତ୍ର ।
ଧୈର୍ଯ୍ୟ ହରା ନୋହି କର୍ତ୍ତବ୍ୟ କରୁଛି
ତଥାପି ରଖିଛି ଆଶା,
ହୃଦୟ ଜିତିକି ବଦଳେଇ ଦେବି
ଯାହା ପ୍ରତିକୂଳ ଦଶା ।
ମନ ଊଣା ତୁହି କରନାରେ ପକ୍ଷୀ
ଫଳ ନେ ଦେଉଛି ଖାଆ,
ପଞ୍ଜୁରୀ ଦୁଆର ଖୋଲିଦେଲି ଏବେ
ମୁକ୍ତ ହୋଇ ଉଡ଼ି ଯାଆ ।
