ପଚାର ନିଜକୁ
ପଚାର ନିଜକୁ
ଦୈବାତ ରୁଖା ଉପରକୁ
ଚଢ଼ିଯାଏ ଯଦି ପିମ୍ପୁଡି,
ସ୍ୱର୍ଗ ତାକୁ ଲାଗେ ନାତିଦୂର ,
ବେଳେବେଳେ ଗାତ ଭିତରେ ବି
ବଢିଯାଏ ତା ଉଗୁରି ,
ଖଣ୍ଡି ଉଡା ଉଡି କ୍ଷଣେ
ଝଡିପଡି ମରିଯାଏ
ବିଚରା ପିମ୍ପୁଡି ।
ଉତୁରିଲେ ହାଣ୍ଡିଭାତ ପଶଇ ଚୁଲିରେ ;
ଅହଙ୍କାର ଧନ ମାନ କ୍ଷମତା ନିଶାରେ
ଉତୁରେ ବି ଅବିବେକୀ ପାଷାଣ୍ଡ ମଣିଷ,
ଧରାକୁ ମଣଇ ସରା
ଭାବେ ନିଜେ ଶ୍ରେଷ୍ଠ
ଆଖିବୁଜି କରିଚାଲେ ଅତ୍ୟାଚାର
ବୁଝେ ନାହିଁ ମୂଲ୍ୟବୋଧ କାର୍ଯ୍ୟ କି ଅକାର୍ଯ୍ୟ,
କୁହେ ଆପ୍ତବାକ୍ୟ
ଉତୁରିଲେ ମର୍ତ୍ତ୍ୟର ମଣିଷ
ଅକାଳ ବି ଖୋଳିଥାଏ ତା ପାଇଁ ଗର୍ତ୍ତ ।
ମଣିଷର ଜୀବନରେ
ସବୁକିଛି ନୁହେଁ ଅର୍ଥ
ଧନ ମାନ କ୍ଷମତା ପ୍ରତିଷ୍ଠା,
କଳ୍ପବଟ ଏ ବିରାଟ ବିଶ୍ୱ
ବୁଝ ଥରେ ପଚାର ନିଜକୁ
ଧର୍ମ ପ୍ରତି ରଖ ସଦା ନିଷ୍ଠା ।
-------