ପଚା ପଇଡ଼
ପଚା ପଇଡ଼
ସରଳ ଚପଳ ସ୍ୱଭାବ କୋମଳ
ହୁଏ ଯଦି ବୃନ୍ତଚ୍ୟୁତ
ଭାସିଯିବା ସାର ଅଣ ଆବଶ୍ୟକ
ପଚା ପଇଡ଼ କୁଖ୍ୟାତ ।
ଅତି ଅସମୟେ ଝଡିବ ଗଛରୁ
ପିଙ୍ଗାହେବ ଇତସ୍ତତଃ
ନୁହେଁ ଯୋଗ୍ୟ ସିଏ ଖାଦ୍ୟକୁ ପାଣିକୁ
ଅଳିଆ ପଥ କଣ୍ଟକ ।
ମାନବ ସମାଜ ଉଦାର ସହିଷ୍ଣୁ
କରଇ ପ୍ରତିପୋଷଣ
ଉଦ୍ଧରେ ଜୀବନ ଅଜ୍ଞାନ ଅନ୍ଧାରୁ
ଶିକ୍ଷାଦୀକ୍ଷା କରେ ଦାନ ।
ଲଭି ଦୟା ସ୍ନେହ ଅତି ଅସହାୟ
କରଇ ଆତ୍ମ ବିକାଶ
ସୁରକ୍ଷିତ ଏଣୁ ସମାଜେ ଜୀବନ
ସାମାଜିକ ଏ ମଣିଷ ।
ପଇଡ଼ ଦୁର୍ଗନ୍ଧ ଅବିବେକୀ ମୁର୍ଖ
ଭୁଲିଯାଏ ଅବଦାନ
ନୀଚ୍ଚ ନ୍ୟସ୍ତ ସ୍ୱାର୍ଥ କରିଥାଏ ଅନ୍ଧ
ଅହମିକା ବଡ଼ପଣ ।
କଳ୍ପ ବଟବୃକ୍ଷ ଛାୟା ସୁଶୀତଳ
ମହାବିଷ୍ଣୁ ବରପ୍ରଦ
ଉନ୍ମଷେ ଜୀବନ ବିକଶେ ସମାଜ
ସ୍ଫୁରେ ଅମୃତ ଆନନ୍ଦ ।
ପ୍ରତି ଜନମନ ହେଜୁ ଦିବ୍ୟଜ୍ଞାନ
ଲଭୁ ମଙ୍ଗଳ ଆଶୀଷ
ଉତ୍କର୍ଷୁ ସମାଜ ଶୀଳ ପ୍ରତିଦାନେ
ପ୍ରକାଶୁ ଗୁଣ ଆଦର୍ଶ ।