ଆଡରୁଷା ଜହ୍ନ
ଆଡରୁଷା ଜହ୍ନ


ସେଇ ତ ଶ୍ରାଵଶ ସେଇ ଵାରିଧାରା
ଅମାନିଆ ଏଇ ଶୋଷ,
ମେଘ ଦୁଲୁକାଣି ବରଷା ରାଣୀର ପାଉଁଜି ଛମକ ପରାଣଟା ଲାଗେ ଅଵଶ।
ଘନଘୋର ରାତି ଵିଜୁଳି ଚମକ
କରତି ଦିଅଇ ଛାତି,
ଗହନ ବନରେ କେକୀ ଡାକଦେଲେ
ରାତିର ଵଢଇ ତାତି।
ସପନ ରାଇଜେ ଚହଲା ମନ
ସେ ଖୋଜିବୁଲେ ନିଶିଗନ୍ଧାର ମହକ,
ପୂଵେଇ ବାଆ ସାଇଁ ସାଇଁ ଵହେ
ସାଗୁଆ କ୍ଷେତର କୁହୁକ।
ରସବତୀ ସେ ତ ସପନ କନିଆ
ସାତ ସପନର ମଉନାଵତୀ,
ନିଶା ଗରଜିଲେ ସରୁ ଗାଁ ନଈ
କୁଳୁକୁଳ ତାର ଅଵୁଝା ଗୀତି।
ମେଘକୁ ପଚାରେ ଆଡରୁଷା ଦିଏ
କିଏ ବା ଦବ ମାନସୀ ଠିକଣା?
ଫୁଲରାଣୀ ସେତ ଫଗୁରେ ଭିଜିଲା
କାହା ପାଇଁ ଆଉ ମନ ଊଣା?
ମେଘ ରାଇଜରେ ତାରାଟିଏ
ସେ ନିତି ସଞ୍ଜେ ତାର ରୋଷନି,
ଫେରିଅନାଉଣୀ ଚାହାଁଣୀ ଚମକ
ସରଗର ସିଏ ମଥାମଣି।
କାହାପାଇଁ ସେ ତ କନକବତୀ
କିଏ କହେ ସେ ରଙ୍ଗଵତୀ,
ନିଦାଘରେ ସେ ମଳୟ ମହକ,
ଅଷାଢରେ ପଉଷ ତାତି।
ଦିନ ରତ ରତ ଅଦିନିଆ ଵାଆ
ଥରଥର ଜୀଵନ ନାଆ,
ନଈ ସେପାରିରେ ଚନ୍ଦନ ବନରେ
ରହିରହି ଡାକେ ମୋହନିଆ।
ଅଢେଇ ଦିନର ରୁପେଲି ସପନ
ପାହାନ୍ତି ପହରେ ଶେଷ,
ସେଇ ନଈ ସେଇ ଆଡରୁଷା ଜହ୍ନ ସାକ୍ଷୀ ଭଙ୍ଗା କଳସର ମୁଠାଏ ପାଉଁଶ।