STORYMIRROR

Gobinda Chandra Sethi

Abstract Tragedy Inspirational

3  

Gobinda Chandra Sethi

Abstract Tragedy Inspirational

ଦିନେ ମହାଯାତ୍ରା ପଥେ

ଦିନେ ମହାଯାତ୍ରା ପଥେ

1 min
163


ପଞ୍ଚତତ୍ତ୍ଵେ ଗଢା ମାନବ ଶରୀର

    ଜୀବନ କରଇ ଛିଡା 

ସୃଷ୍ଟି ନିୟନ୍ତାଙ୍କ ଅପୂର୍ବ ସର୍ଜନା

    ପ୍ରାଣ ଛାଡ଼ିଗଲେ ମଡ଼ା।  

କ୍ଷଣିକ ସୁଖର ଆଶା ଭରଷାରେ 

    ସ୍ନେହ ଶ୍ରଦ୍ଧା ପ୍ରେମ ଭୁଲି 

 କୁପଥକୁ ଆମେ ଆଦରି ନେଉଛେ 

    ଶାନ୍ତିରେ ରହିବା ବୋଲି।

କେତେ ପୁଣ୍ୟ ବଳେ ମାନବ ଜନମ

    ଥରେ କର ହୃଦବୋଧ

 ଜୀବନ ନୁହଁଇ ଏକ ଖେଳଘର 

     ବୁଝ ତା'ର ମୂଲ୍ୟବୋଧ l

ଜୀବନଟା କେବେ ଅମା ଅନ୍ଧକାର

    କେବେ ଯେ ପୁନେଇଁ ଜହ୍ନ

 ସୁଖରେ ଦୁଃଖରେ ବଞ୍ଚି ଯେ ଶିଖିଛି

    ଅଟଇ ସେ ବିଜ୍ଞଜନ।  

କ୍ଷଣିକ ଜୀବନ କେତେ ଯେ ସୁନ୍ଦର

    ଭଲ କରି ଥରେ ଦେଖ

କେମିତି ଧରିବ ସଂସାରେ ଜୀବନ

    ଭଲ କରି ତା ପରଖ ।

ଜନମ ରହିଛି ମରଣ ରହିଛି 

    ରହିଥାଏ କେତେ କଷ୍ଟ 

ଶେଷ ସମୟରେ ଧର୍ମ ଏକା ସାହା

    ହୁଏ ନାହିଁ ପଥ ଭ୍ରଷ୍ଟ ।     

ମନରେ ନ ରଖ ଛନ୍ଦ କି କପଟ

     ରଖ ଦୟା କ୍ଷମା ଭାବ

ସ୍ନେହ ଶ୍ରଦ୍ଧା ପ୍ରେମ ହୃଦୟରେ ଭର

     ସୁନ୍ଦର ଲାଗିବ ଭବ ।

ଅନ୍ଯାୟ ଅଧର୍ମେ ଧନ ଅରଜିକି 

    ଦିଅନାହିଁ ତାକୁ ଦୁଃଖ 

 ସେ ଧନ ମାଡିବ ମୂଳୁ ନାଶଯିବ

     ସବୁ ସରିଯିବ ସୁଖ ।

ମନୁଷ୍ୟ ଜୀବନ ପାଣି ଫୋଟକା ଟା 

     ଆଜି ଅଛି କାଲି ନାହିଁ

 ଅଧର୍ମ ଅନ୍ୟାୟ ଅନୀତି ପଛରେ 

   ଯିବା ନାହିଁ କେବେ ଧାଇଁ ।

ଆସିଣ ଧରାକୁ ଗର୍ବରେ ମାତିଣ 

   ଧରାକୁ ମଣୁଛେ ସରା

 ଧନ ଓ ଯୌବନ ଅଢେଇ ଦିନକୁ

    ନ ଥିବା ଜୀବନ ସାରା ।  

ଆସିଥିଲେ ଏକା ଫେରିଯିଵା ଏକା

    ନଯିବେ ତ କେହି ସାଥେ

 ମୃତ୍ୟୁପଥର ଯେ ମହାଯାତ୍ରୀ ହେଵା

    ଧର୍ମ ଥିବ ଖାଲି ପଥେ ।  

ଛ ଖଣ୍ଡ ବାଉଁଶ ଲୋଡା ହେବ ଖାଲି

    ଦିନେ ମହାଯାତ୍ରା ପଥେ

ରାମ ନାମ ସତ୍ୟ ହରି ନାମ ସତ୍ୟ

    ତୁଣ୍ଡେ ଥିବ ଖାଲି ସାଥେ।  


Rate this content
Log in

Similar oriya poem from Abstract