STORYMIRROR

Gobinda Chandra Sethi

Abstract Inspirational

4.0  

Gobinda Chandra Sethi

Abstract Inspirational

ଯାଇଥିଲି ଦିନେ ମୋ ଗାଁକୁ ବୁଲି

ଯାଇଥିଲି ଦିନେ ମୋ ଗାଁକୁ ବୁଲି

1 min
9

ଯାଇଥିଲି ଦିନେ ମୋ ଗାଁକୁ ବୁଲି 

            ପୁରୁଣା ସ୍ମୁତିକୁ ସାଉଁଟୁ ଥିଲି ।।

ଦେଖିଥିଲି ଯେବେ ଆମରି ଗାଆଁ 

          କରୁଥିଲା ସିଏ ମୋତେ ଛାନିଆଁ ।।

ଗଛଟିଏ ନାହିଁ ଦେବାକୁ ଛାଇ 

         ଯୁଆଡେ ଦେଖିଲେ ଟାଙ୍ଗରା ଭୂଇଁ ।।

ମିଳୁ ନାହିଁ ଆଜି ବଣୁଆ କୋଳି 

          ବରଗଛ ନାହିଁ ଖେଳିବା ଦୋଳି ।।

ଦେଖୁନୁ ବିଲୁଆ କୋକି ଶିଆଳି 

          ହଜି ଯାଇଅଛି ତାଙ୍କ ବୋବାଳି ।।

ନଈ ପୋଖରୀରେ ଦେଖୁନୁ ପାଣି 

          ପରିବେଶ ପାଇଁ ଆଜି ଭାଳେଣି ।।

ବଳଦ ନାହିଁ କି ଗୁହାଳ ନାହିଁ 

          କଅଁଳା ବାଛୁରୀ ଦାଣ୍ଡରେ ନାହିଁ ।।

ଗାଈ ଜଗୁଆଳି କରୁନି ଡାକ 

          ଡାକୁ ନାହିଁ ବଣେ ଆଉ ଡାହୁକ ।।

ଗହୀରେ ଦିଶୁନି ଚାଷି ମଉସା 

          ନାହିଁ ସାହୁକାର ନାହିଁ ବେଉସା ।।

କୁଆଡେ ହଜିଲା ଶଗଡ଼ ଗାଡି 

         ନାହିଁ ସାଇକେଲ ଯୌତୁକ ଗାଡି ।।

ଦିଶୁନାହିଁ ଆଉ ଡିବି ଲଣ୍ଠନ 

            ବିଜୁଳି ଆଲୁଅ କରେ ଉଚ୍ଛନ୍ନ ।।

ରାତି ପାହାନ୍ତାରେ ରାବୁନି କାଉ 

           ସକାଳୁ ଉଠୁନି ଗାଉଁଲି ବୋହୁ ।।

ଚାଳ ଘର ଭାଙ୍ଗି ହୋଇଛି ଛାତ 

           ସଞ୍ଜ ବଳିତାକୁ ଦେଖୁନି ନେତ ।।

ଦିଶୁନାହିଁ ଆଉ ସେ ହାଣ୍ଡିଶାଳ

           ରୁଚୁ ନାହିଁ ମାଟି ହାଣ୍ଡି ପଖାଳ ।।

ସକାଳେ ଖୋଜୁନୁ ନାଲି ଚା ମୁଢ଼ି 

            ଧାଉଁଛୁ ବଜାର ଅଣ୍ଟାକୁ ଭିଡି ।।

ଗାଁ ଦାଣ୍ଡ ଆଜି ହୋଇଛି ପକ୍କା 

         ଧାଉଁ ନାହିଁ ଆଜି ବାଳୁଙ୍ଗା ଟୋକା ।।

ଯାଇଛି ବଦଳି ମୋ ଇସୁକୁଲ 

          ନାହିଁ ପ୍ରେମ ମାଡ଼ କଲେ ଭୁଉଲ ।।

ଗୁରୁ ଶିଷ୍ୟଙ୍କର ହଜିଛି ପ୍ରେମ 

           ନାହିଁ ଚାଟଶାଳ ବୈକୁଣ୍ଠ ଧାମ ।।

ସରଳ ନିରୀହ ଥିଲା ସ୍ଵଭାଵ 

           ମନରେ ଭରିଛି କପଟୀ ଭାବ ।।

ଗଢି ଉଠିଅଛି ନାନା ବଜାର 

           ଗାଆଁଟା ଲାଗୁଛି ଆଜି ସହର ।।

ଆଧୁନିକ ଯୁଗେ ନାହିଁ ଫରକ 

           ଗାଆଁ ଓ ସହର ଲାଗୁଛି ଏକ ।।

ଧନ୍ୟ ହେଲି ଦେଖି ଗାଆଁ ଚଳଣି 

         ଗୀତରେ ଲେଖିଲି ତାର କାହାଣୀ ।।

        



Rate this content
Log in

Similar oriya poem from Abstract