ଯେବେ ବର୍ଷା ଆସେ (ଭାଗ :-୨)
ଯେବେ ବର୍ଷା ଆସେ (ଭାଗ :-୨)
ଯେବେ ଆକାଶେ ବରଷା ଆସେ
କଳା ବାଦଲ ଆକାଶେ ଦିଶେ ।
ଆସେ ବିଜୁଳି ସେ ଘଡ ଘଡି
ଛନକା ଆସେ ଆମକୁ ମାଡି ।
ଆସଇ କେବେ ବାଆ ବତାସ
ଘର ଛପର କରଇ ନାଶ ।
ପାଣି କାଦୁଅ ବାଟର ଘାଟ
ଜୀବନ ଦେଖେ ଅନେକ ନାଟ ।
ପାଣିରେ ବୁଡ଼େ ଗାଆଁ ପୋଖରୀ
ସାଗର ପରି ମାରେ ଲହରୀ ।
ସାପ ଓ ବେଙ୍ଗ ବାହାରେ ଦିଶେ
ତେଲୁଣୀ ପୋକ ଘରକୁ ପଶେ ।
ବରଷା ଯେବେ ଯାଇଛି ଛାଡି
ଗାଆଁ ଦାଣ୍ଡରେ ପିଲାଙ୍କ ରଡ଼ି ।
ଭାସେ ଦାଣ୍ଡରେ କାଗଜ ଡ଼ଙ୍ଗା
ପିଲାଙ୍କ ମେଳେ ଦିଶଇ ଦଙ୍ଗା ।
ଝଡି ପୋକଟା ଆସିଲେ ଉଡି
ବେଙ୍ଗ ବେଙ୍ଗୁଲି ବସନ୍ତି ମାଡି ।
ବାଦଲ ତଳୁ ଗଲେତ ଚାଲି
ସୂରଜ ଦିଏ ଆଲୋକ ଢ଼ାଳି ।
ଇନ୍ଦର ଧନୁ ଆକାଶେ ଦିଶେ
ସତରେ ଖୁସି କେତେ ପରଶେ ।
ଧାଏଁ ବାଦଲ ଧାଡିକି ଧାଡି
ଛାଇ ଆଲୁଅ ଆସଇ ମାଡି ।
ଧାଇଁଛି ଜହ୍ନ ବାଦଲ ଆଡ଼େ
ରଜନୀ ଜହ୍ନ ଖୁସି ଉଜାଡ଼େ ।
ଘନ ବାଦଲ ଯେବେ ଦିଶଇ
ଛନକା ମନେ ଆସି ବସଇ ।
ଅମା ଅନ୍ଧାର ଆସଇ ମାଡି
ଧରଇ ଲାଗି ଅମାପ ଝଡ଼ି ।
ଆସଇ ଯେବେ ନଈରେ ବଢ଼ି
ଭାଙ୍ଗିଲେ ବନ୍ଧ ଦିଏ ଉଜାଡ଼ି ।
ଗାଆଁ ଓ ଗଣ୍ଡା ପାଣିରେ ଭାସେ
ଫସଲ ସବୁ ମାଟିରେ ମିସେ ।
ଲୋକଙ୍କ ବଢ଼ି ଯାଏ ଦୁର୍ଦଶା
ଜୀବନେ ଲାଗେ ସତେ ନିରାଶା ।
ଲାଗଇ ଯେବେ ବରଷା ଆସେ
ଧରିତ୍ରୀ ଆମ ସୁନ୍ଦର ଦିଶେ ।
ବୃକ୍ଷ ଓ ଲତା ସବୁଜ ଦିଶେ
ହଜିଲା ଜଳ ପାଖକୁ ଆସେ ।
ଜୀବ ଜନ୍ତୁଙ୍କ ମେଣ୍ଟଇ ତୃଷା
ପନି ପରିବା ଫୁଲର ବର୍ଷା ।
ବରଷା କାଳ ମଙ୍ଗଳ କାରି
ପ୍ରକୃତି ରଖ ସୁନ୍ଦର କରି ।
ଦେବ ନାହିଁ ସେ କେବେ ଦୁର୍ଦ୍ଦଶା
ଜୀବନ ପାଇଁ ଆଶା ଭରଷା ।
