ସଜନୀରେ
ସଜନୀରେ
ସଜନୀରେ କାହିଁକି ଏତେ ଗୁମାନ
ମାଗି ଥାଆନ୍ତୁ ଯେଵେ ଦିଅନ୍ତି ସରଗ ଜହ୍ନ।ସଜନୀରେ
ଦିନ ଵିତିଯାଏ ରାତି ତ ସରେନା ଲାଗେ ଆନ ଆନ
ସପନେ ଆସି ସପନରେ ଯାଉ କଲୁ ହିନୀମାନ।ସଜନୀ ରେ
ନିଆସୀ ଅନ୍ଧାର ଜୁଆରିଆ ଜୋଛନା ଛନକା ଦିଏ ସପନ
ରାତି ସରିଗଲା ସପନ ତ ଅଧା ସନସନ ଵହେ କାଲୁଆ ପବନ।ସଜନୀରେ
ମାନିନୀ ପ୍ରିୟା ମୋ ମାନ କରିଗଲୁ ପରଦେଶେ ଏଵେ ଆସନ
ମୁହଁ ମୋଡି ଗଲୁ ସାତ ପର କଲୁ ଵଡ଼ ଅସୁଖ ଏ ଅଲୋଡା ଜୀଵନ।ସଜନୀରେ
କଥା ଦେଇଥିଲୁ କଡେ ଯତନରେ ମାଖି ଦେଲୁ ଆଖିରେ ଅଞ୍ଜନ
ଲୁହ ଦରିଆରେ ଉବୁଟୁବୁ ମୋ ଦଦରା ନାଆଟା ଆଉ କାହା ପାଇଁ ଅମନ।ସଜନୀରେ
ଅଳସୀ ସକାଳ କଳସୀଏ ସପନ ଦୂରୁ ଭାସିଆସେ ଗାଇଆଳ ବଇଁଶୀ ସ୍ଵନ।
ପରାଣ ଥରା ସେ ଵିରହ ରାଗିଣୀ କାନେ କହି ଦିଏ ରଙ୍ଗ ଚାଲିଗଲା ଆରସନ।ସଜନୀରେ
ଆମ୍ଵ ଵଉଳିଲେ ମହ ମହ ବାସେ ରଜନୀଗନ୍ଧା ଆଉ
କାହା ଗଭା କରିଵ ମଣ୍ଡନ?
ନିଦୁଆ ରାତି ଦକଦକ ହିଆ ପାହାନ୍ତି ପହରେ କ୍ଷଣେ ନିରଵି ଯାଏ ପରାଣ ସ୍ପନ୍ଦନ।ସଜନୀରେ
କେଡ଼େ ଯତନରେ ଆଦରି ନେଲୁ ଅଦିନେ ମଳୟର ଆବାହନ
ଏଵେ ଦେଖୁନ ଝରୁଛି କେମିତି ତମ ଗାଁ ସୋରିଷ ଫୁଲିଆ ମହମହ କ୍ଷେତ ଚନ୍ଦନ ।ସଜନୀରେ
ସାତ ମାଇପେ ସଜକରି ଦେଲେ ରଙ୍ଗଵତୀର ବାପଘର ଯିବାକୁମନ।
ସରମୀ ମୁହଁରେ ସରସା ଆଶା ପାଦେ ତବ ସରୁ ଅଳତା କଲା ହୀନିମାନ। ସଜନୀରେ
ଉଠାଦୋକାନ ଖଣ୍ଡକ ଉଠିଗଲା କାହିଁ ହାଟଦାଣ୍ଡିଆଟା କିଣିଦେଲା ତମ ଅଭିମାନ
ବରଷା ଝରିଲେ ଵେଝେନା ଏ ଶୋଷ ନିଦାଘରେ ମନମରା ଏ ଅଵୁଝା ଜୀବନ। ସଜନୀରେ
ସଜନିରେ ତାରା ରାଇଜରେ ଫୁଲର ଫସଲ ପାରିଜାତ ମହକା ଗଗନ ରାଜ ଉଆସଟା ଏଵେ ଖାଲି ଖାଲି ଯୋଗୀ ପୁଅ କେନ୍ଦରା କେଡ଼େ ମଉନ। ସଜନୀରେ
ସୁନାଗୋରୀ ତମେ ରସବତୀ ରଙ୍ଗଵତୀ ସରଗ ରାଇଜେ ମନ ଛନଛନ
କହି ଥାଆନ୍ତୁ ଯେଵେ ଉଝେଇଁ ଦେଇଥାଆନ୍ତି ମଝିଦରିଆରେ ଏ ମନ ପରାଣ ଧନ।ସଜନୀରେ ।