ଆହାତ ଚଢେଇ
ଆହାତ ଚଢେଇ
ଯେଉଁ ଗଛ ଦିନେ ପାଖେ ଡାକିଥିଲା
ମୋ ହାତ ଅଙ୍ଗୁଳି ଧରି,
ଆଜି କାହିଁ ପାଇଁ ଠେଲି ଦିଏ ଦୂରେ
ହୃଦୟକୁ ମୋର ଚିରି ।
ତା'ମିଠା ଡାକରେ ଭରି ରହିଥିଲା
ଆପଣା ପଣର ବାସ୍ନା,
ତା କୋଳରେ ବସି ପାଉଥିଲି ନିତି
ଜହ୍ନର ଶୀତଳ ଜୋତ୍ସ୍ନା ।
ତା ମିଠା ଚୁମ୍ବନେ ପ୍ରେମ ଆଲିଙ୍ଗନେ
ବିତୁଥିଲା ଦିବା ନିଶି,
ଶୀତଳତା ଭରା ପ୍ରତ୍ୟେକଟି ସ୍ପର୍ଶ
ମନେ ପଡ଼ୁଅଛି ବେଶୀ ।
ଉଡ଼ିବୁଲୁଥିଲି ଏ ଗଛ ସେ ଗଛ
ମନ ଖୋଲି ଆନନ୍ଦରେ,
ନିତି ନିତି ପ୍ରେମ ବୀଜ ବୁଣୁଥିଲି
ମୋ ଖିଆଲି ଭାବନାରେ ।
ସଂସାର ନିଡଟେ ଗଢିବା ପାଇଁକି
ଆଶା ସଞ୍ଚରିଲା ମନେ,
ସେ ପାଇଁ ପଶିଲି ପାଦ ମୁଁ ଥାପିଲି
ପ୍ରେମର କୁହୁକ ବିନେ ।
ଜୀବନଟା ସାରା ଯା ପାଖରେ ରହି
ଜୀଇଁବାକୁ ଚାହୁଁଥିଲି,
ନୀଡ଼ ଭାଙ୍ଗି ସିଏ ତା ପାଖରୁ ମୋତେ
ଦୂରକୁ ଦଉଛି ପେଲି ।
ଭାଙ୍ଗିଗଲା ନୀଡ଼ ଭାଙ୍ଗିଲା ଭାବନା
ଛିଡ଼ିଗଲା ଆଶା ଡେଣା,
ଏତେ ଦିନ ପରେ ଜୀବନର ସତ୍ୟ
ମୋତେ ତ ପଡିଛି ଜଣା ।