ଭକତଙ୍କୁ ଗଲ ଭୁଲି
ଭକତଙ୍କୁ ଗଲ ଭୁଲି
ଭାବ ବିନୋଦିଆ ଭାବର ଠାକୁର
ଭକତଙ୍କୁ ଗଲ ଭୁଲି
ଭଲା ହେଲା କାଳ ଭୟରେ ଆକୁଳ
ଭିଜୁଛୁ ଲୁହରେ ଖାଲି ।
ଚାପ ଦେଖିଲୁନି ରଥ ଟାଣିଲୁନି
ଦେଖିଲୁନି ସୁନା ବେଶ
ବିନା ଭକତରେ ତୁମ ନୀତିକ୍ରାନ୍ତି
ବିତିଲାଣି ମାସମାସ
ଏତେ ବର୍ଷପରେ ନାଗାର୍ଜୁନ ବେଶ
ବାଇଶି ପାହାଚ ଖାଲି
ଭକତଙ୍କୁ ଗଲ ଭୁଲି...।
ବଡବଡୁଆଙ୍କୁ ବଡଦେଉଳରେ
ପିଣ୍ଡଦାନ ଦେଲୁନାହିଁ
ଧରମ ମାସରେ ହବିଷ ପାଇଁକି
ଆସିଲେନି ପୁରୀ କେହି
ଦୂରରୁ ଦର୍ଶନ ପତିତପାବନ
ସିଂହଦ୍ଵାର ଖାଲିଖାଲି
ଭକତଙ୍କୁ ଗଲ ଭୁଲି.... ।
କେତେଦିନ ଆଉ ଦେବନାହିଁ ଦେଖା
ରତନ ବେଦିରେ ଲୁଚି
ପାହିଯିବ କେବେ ଏଇ ଅମାରାତି
ଅବସାଦ ଯିବ ଘୁଞ୍ଚି
କେବେ ମହାପ୍ରଭୁ ଦେଉଳ ଦୁଆର
ଆମ ପାଇଁ ଦେବ ଖୋଲି
ଭକତଙ୍କୁ ଗଲ ଭୁଲି....।
