STORYMIRROR

Kali Kumar

Abstract Tragedy

3  

Kali Kumar

Abstract Tragedy

ମଲା ଗଛ

ମଲା ଗଛ

1 min
268

ଅଭିସାର ଠାରୁ ଯେତିକି ଦୂର

ଅଭିଶାପ ଠାରୁ ସେତିକି ନିକଟ

ଔପଚାରିକତାର ପ୍ରଚ୍ଛନ୍ନ ଚରିତ୍ରେ

ଅନ୍ତର୍ନିହିତ ମୃଦୁ ସଂକଟ

ଜୀବନ ପରିଚ୍ଛେଦ ମୋ କେଡ଼େ ଉଦଦ୍ଭଟ

ସେଥିପାଇଁ ମୁଁ ଅଭିଶପ୍ତ ।।

ଜୀବନ ନୁହେଁ;

ଏ ତ ମୃତ୍ୟୁର ଝଲକ ମାତ୍ର

ବର୍ଦ୍ଧିତ ସମୟର ବର୍ଣ୍ଣିତ ଘଟଣାଚକ୍ର

ଅନିବାର୍ଯ୍ୟ ଅପୂରଣୀୟ ଅବଲୁପ୍ତ

ସହାନୁଭୂତିର ସ୍ମୃତି ସାହିତ୍ୟ

ସେଥିପାଇଁ ମୁଁ ଅଭିଶପ୍ତ ।।

ତଥାପି, ମୁଁ ହସେ

ମ୍ଳାନ ଆକାଶରେ

କଳା ଧଳା ମେଘର ସର୍କସ ଦେଖେ

ରଣିଫୁଲ ଜହ୍ନ ଯୋଛନାରେ

ନାନାଦି ସ୍ବପ୍ନ ବୁଣେ,

ଚିରସ୍ରୋତା ନିର୍ଝରିଣୀର

ଗୁଣୁଗୁଣୁ ରାଗିଣୀ ଶୁଣେ,

ତା'ର ଶାନ୍ତ ସ୍ନିଗ୍ଧ ଧାରାର

ସ୍ପର୍ଶରେ, ବିମୋହିତ ହୁଏ

ତଥାପି ମୁଁ ହସେ, ତଥାପି ମୁଁ ହସେ ।।

ଚଢ଼େଇର ଡେଣାରେ

ନୀଳ ପୁଷ୍କରିଣୀର ନୀଳ ପଦ୍ମରେ

ପ୍ରଜାପତିର ରଙ୍ଗୀନ ରଙ୍ଗରେ

ନିଜକୁ ଖୋଜେ,

ସ୍ୱପ୍ନରେ ହଜେ,

ଲୁହରେ ଭିଜେ,

ତଥାପି ମୁଁ ହସେ ।।

ସୂର୍ଯ୍ୟାସ୍ତ ପରେ

ମୋ ବିସ୍ତୀର୍ଣ୍ଣ ସ୍ୱପ୍ନର

ଉପତ୍ୟକା ଉପରେ

ହତାଶ ଓ ନିରାଶାର

ଅନୁର୍ବର ବାଲି ଚରେ;

ତା' ପରେ ସ୍ବପ୍ନ ଭାଙ୍ଗେ

ଆତ୍ମା କାନ୍ଦେ

ଆକାଶ ଛିଡ଼େ

ଧୂଳି ଉଡ଼େ

ମୋ ନବ୍ୟ ନିର୍ମାଣ

ସ୍ୱପ୍ନର କୋଣାର୍କ ଭୁଶୁଡ଼େ

ସଞ୍ଜ ଆସେ

ଛାଇ ,ଅନ୍ଧାରରେ ମିଶେ

ମୁଁ ମରେ

ମୋ ଅସ୍ତିତ୍ବର ଆୟୁ ସରେ

ଜଡ଼ ସାଜେ, କାଠ ରୂପରେ ଜଳେ ।।

ଶେଷେ ମୁଁ କାଠ ହୋଇ ଜଳେ

ଉତ୍ତାପ ନାଁ ରେ ନିଜକୁ ଦଗ୍ଧୀଭୂତ କରାଏ

ଅଗ୍ନି ନାଁ ରେ ଜ୍ବଳନର ଜ୍ବାଳା ସହେ

ଅଙ୍ଗାର ରୂପରେ ନିଜକୁ ପାଉଁଶ କରାଏ

ପୁଣି ସେ ଆଙ୍ଗାରର କାଳିମାରେ

ନିଜକୁ କଳଙ୍କିତ କରାଏ

ଶେଷେ ମୁଁ କାଠ ହୋଇ ଜଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract