STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ଲାଜ ଲାଗୁଅଛି ମୋତେ

ଲାଜ ଲାଗୁଅଛି ମୋତେ

1 min
130

କି ସୁନ୍ଦର ଥିଲା ଓଡ଼ିଶା ରାଇଜ

କି ସୁନ୍ଦର ପରମ୍ପରା

ଆଧୁନିକତାରେ ଦୋହଲି ଯାଇଛି

ବଦଳିଛି ସବୁ ପରା।


ଲାଜ ଲାଗେ ଆଜି କହିବାକୁ ମୋତେ

ଦୁନିଆ ସମାଜ କଥା

ଯୁଗ ବଦଳିଛି ନୀତି ବଦଳିଛି

ଭାବିଲେ ଘୂରଇ ମଥା।


ରକ୍ତର ସମ୍ପର୍କ ଶତ୍ରୁ ପାଲଟିଛି

ସ୍ୱାର୍ଥର ହାସଲ ପାଇଁ

ସମ୍ପତ୍ତି ଲୋଭରେ ଭାଇ ଭାଇ ମଧ୍ୟେ

ନିଇତି କଳି ହୁଅଇ।


ଅଣ୍ଟି ଛୁରୀ ଏଠି ତଣ୍ଟି କାଟେ ଆଜି

ସମ୍ପର୍କକୁ ଭୁଲିଯାଏ

ସ୍ନେହ ପ୍ରେମ ଶ୍ରଦ୍ଧା ଆଣେ ମନେ ଦ୍ୱିଧା

ସ୍ୱାର୍ଥ ପଛେ ଧାଇଁଥାଏ।


କହିବାକୁ ମୋତେ ଲାଜ ଲାଗେ ଆଜି

ମଣିଷ ଭାଵନା କଥା

ଆଜି ଯିଏ ଆମ ଉପକାର କରେ

ତା ସହ କରୁ ଶତ୍ରୁତା।


ମୁଖେ ମିଠା କଥା ପଛେ ପ୍ରହାରତା

ଆଜିର ମାନବ ନୀତି

ମଣିଷ ପଣିଆ ଆଜି ଏଠି ସ୍ୱପ୍ନ

ପ୍ରତି କ୍ଷେତ୍ରେ ରାଜନୀତି।


ଅଧର୍ମୀ ବିରାଡ଼ି ବୈଷ୍ଣବ ସାଜଇ

ମିଥ୍ୟା ପ୍ରବଚନ ଦିଏ

ରୁଦ୍ରାକ୍ଷ ମାଳକୁ ଗଳାରେ ପକାଇ

ବକ ସାଧୁ ଵୋଲୁଥାଏ।


ଅବିବେକୀ ଆଉ ଅହଂକାରୀ ହୋଇ

ସ୍ୱାର୍ଥକୁ ହାସଲ କରେ

ଲୋଭ ମୋହ ମାୟା ବନ୍ଧନରେ ପଡ଼ି

ଆପଣାକୁ ପର କହେ।


କି କହିବି ଆଉ ସରକାର କଥା

ତାଙ୍କ ରାଜନୀତି ଖେଳ

ଖଟିଖିଆ ଏଠି ପାଉଛି କଷଣ

ତେଲିଆ ମୁଣ୍ଡରେ ତେଲ।


କାଲି ଯିଏ ଥିଲା ଜନ୍ମଦାତା ଆମ

ଆଜି ସେମାନେ ଅଜଣା

ନିଜ ସୁଖ ପାଇଁ ମମତାକୁ ଭୁଲେ

ଦେଇଥାଏ ସେ ଯନ୍ତ୍ରଣା।


ପୁଣି କହିବାକୁ ଲାଜ ଲାଗେ ମୋତେ

ନାରୀର ସମ୍ମାନ କଥା

ସଭ୍ୟତା ସଂସ୍କାର ଭୁଲିଗଲା ଆଜି

କହେ ମୁଁ ଅପରାଜିତା।


ଧର୍ମ କର୍ମକୁ ସେ ପଛରେ ପକାଇ

ପର ସଙ୍ଗେ କାମ ମୋହେ

ସମାଜ ପାଇଁକି ସେ ଯେ କଳଙ୍କିନୀ

ସର୍ବଦା ସେ ନିନ୍ଦା ପାଏ।


ପୁଣି ଏ ପୁରୁଷ ମାନବ ସମାଜ

ମାତା ଭଗ୍ନୀ ଭୁଲିଯାଏ 

କାମର ଲାଳସା ମେଣ୍ଟିବା ପାଇଁକି

ଦୁଷ୍କର୍ମ ସେ କରିଥାଏ।


ମାନବ ସମାଜ କରେ ପଦାଘାତ

ମାତୃଭୂମି ମାତୃ କଥା

ନିଜ ଗୋଡ଼ରେ ସେ କୁରାଢି ମାରଇ

ମଥାକୁ ଲାଗଇ ଵ୍ୟଥା।


ଆପଣା ସୁଖର ସମ୍ଭୋଗ ନିମିତ୍ତ

ପରିବେଶ ନଷ୍ଟ କରେ

ଜାଣି ପାରେ ନାହିଁ ତା ଗୁଣ ଗାରିମା

ମୃତ୍ୟୁକୁ ଵରଣ କରେ।


ଏହି ସବୁ କଥା ଭାଵିଲା ବେଳକୁ

କେଡ଼େ ମୁଁ ବୋକାମୀ ସତେ

କେମିତି କହିବି ଜାଣି ପାରୁନାହିଁ

ଲାଜ ଲାଗୁଅଛି ମୋତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy