ପବିତ୍ର ପ୍ଲାବନି ଚନ୍ଦ୍ରଭାଗା
ପବିତ୍ର ପ୍ଲାବନି ଚନ୍ଦ୍ରଭାଗା
ଚନ୍ଦ୍ରଭାଗା ତୁମେ ଇତିହାସ ଆଜି
ଭଗ୍ନ କୋଣାରକ ସାଥେ
ବାଳୁତ ଧରମା ବିସର୍ଜିଲା ପ୍ରାଣ
ଯେଉଁ ପୁଣ୍ୟ ଅର୍କକ୍ଷେତ୍ରେ
ସେହି ଆମ ପରିଚୟ
ବିଶ୍ୱ ବିଖ୍ୟାତ ସେ ସୂର୍ଯ୍ୟ ମନ୍ଦିରର
ହୋଇ ଅଛି ଅବକ୍ଷୟ l
ଚନ୍ଦ୍ରଭାଗା ତୁମେ ଯାଇଛ ଦୂରେଇ
ଦେଉଳକୁ ପର କରି
ଯେଉଁଠାରେ ଦିନେ ଅଥଳ ଜଳରେ
ଅତ୍ୟାଚାର ଥିଲା ପୂରି
ଧନ୍ୟ ସେହି ଜଳ ରାଶି
ପ୍ରସ୍ତର ଉପରେ ପ୍ରସ୍ତର ଖଞ୍ଜିଲେ
ବାରଶହ ବଢ଼େଇ ମିଶି l
ପୁଣ୍ୟ ଉତ୍କଳର ଶୂନ୍ୟ ଦେଉଳେ
ସୂର୍ଯ୍ୟଦେବ ଆବାହନେ
ଗଢ଼ିଦେଲେ ରଥ ବଢ଼େଇ କୁଳ ସେ
ରାଜ ଆଜ୍ଞା ଅର୍ଥ ଦାନେ
ଧନ୍ୟ ସେହି ଧର୍ମପଦ
ମୁଣ୍ଡି ମାରିଦେଇ ମନ୍ଦିର ଚୂଡ଼ାରେ
ଜଳେ କଲା ଆତ୍ମବଧ l
ଅନେକ ବରଷ ବିତିଯାଇଅଛି
କର୍ପୁର ଯାଇଛି ଉଡ଼ି
କନା ପଡ଼ିଅଛି ସୁବାସ ଛୁଟୁଛି
ଦେଇଛନ୍ତି ଯାହା ଗଢ଼ି
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଶୋଭା
ସ୍ବର୍ଣ୍ଣାକ୍ଷରେ ଲେଖା ଚନ୍ଦ୍ରଭାଗା କଥା
ପବିତ୍ର ପ୍ଲାବନି ଆଭା l
ମାଘ ସପ୍ତମୀରେ ତୋ ପବିତ୍ର ନୀରେ
ପଡ଼େ ଅସୁମାରୀ ବୁଡ଼
ସାରା ରାଇଜରୁ ଛୁଟି ଆସିଥାନ୍ତି
ଭକ୍ତ ଗଣ କରି ଭିଡ଼
ତୁହି ପୁଣ୍ୟ ତୋୟା ଗଙ୍ଗା
ତୋ ଜଳ ପରଶେ ପାପ ନାଶ ହୁଏ
ଚାଲେ ଧରମର ଡଙ୍ଗା l
