STORYMIRROR

Krushna Chandra Lenka

Abstract Inspirational Thriller

4  

Krushna Chandra Lenka

Abstract Inspirational Thriller

ଆଜିର ଆଧୁନିକ ଓଡ଼ିଆଣୀ

ଆଜିର ଆଧୁନିକ ଓଡ଼ିଆଣୀ

2 mins
415

ଖାଣ୍ଟି ଓଡ଼ିଆଣୀ ଝିଅ କାହୁଁ ଗଲା ଦୂରେ,

ଗ୍ରାମ କି ନଗରେ ଅବା ନାହିଁ କେଉଁ ପୁରେ।


ଅତି ଆଧୁନିକ ବେଶେ ଓଡ଼ିଆ ରମଣୀ,

ଓଡ଼ିଆ ସଂସ୍କୃତି ସବୁ ଭୁଲିଗଲା ଜାଣି।


ମଥାରେ ସିନ୍ଦୂର ଟୋପା ନଦିଶଇ ତାର,

ମାତ୍ର ଓଷ୍ଠେ ଭରିଅଛି ନାଲି ରଙ୍ଗ ଧାର।


ବେଣୀ ପକାଇବା ଲାଗି ମୁଣ୍ଡେ ନାହିଁ କେଶ,

ଛୋଟ ଛୋଟ କେଶ ମୁଣ୍ଡେ ଏକି ତାର ବେଶ ।


ପରବ ପୁନେଇଁ ତିଥେ କ୍ଳେଶେ ପିନ୍ଧେ ଶାଢ଼ୀ,

ଓଢଣା ତ ଦୂରେ ଥାଉ ବୁଲେ କାନି ଛାଡି।


ଯେ'ଦିନେ ସେ ପିନ୍ଧେ ଶାଢ଼ୀ ଅଧା ଦିଶେ ପିଠି,

ନାଭିଦେଶ ଦିଶୁଥାଇ ନାହିଁ ଶାଢ଼ୀ ସେଠି।


ନୋଳି, ଝୁଣ୍ଟିଆ, କୁଣ୍ଡଳୀ, କଣ୍ଠି ଅବା ଚୁଡି,

ଓଡ଼ିଆ ଲଳନା ଦେହୁ ଗଲାଣି ଏ ଛିଡି।


କଜ୍ଜଳ, ଅଳତା ଥାନ ନେଇଛି ମେହେନ୍ଦୀ,

ସେପାଇଁ ଉତ୍ସବ କାଳେ ହାତ ଥାଏ ବନ୍ଦୀ।


ପାନ ଖିଲ ବଦଳେ ସେ ଖାଉଛି ଖଇନି,

ଛକ ଦୋକାନେ ସେ ଯାଇ କରୁଚି ବଇନି।


ଘସି, ଗୋବର, ଜାଳେଣୀ ପାରୁନି ସେ ଜାଳି,

ଶେଷ ହେଲେ ଗ୍ୟାସ ଗୃହେ ଭିଆଏ ଯେ କଳି।


ଭାତ ଡାଲି ସାଥେ ଜାଣେ ମସଲା ତିଅଣ,

କାଞ୍ଜି, ଜାଉ, କ୍ଷୀରି ତାରେ ନଆସଇ ଜାଣ।


ବିଭାପର୍ବେ,ଓଷାବାରେ ଗଢେ ନାହିଁ ପିଠା,

କାମ ଚଳାଇବା ପାଇଁ କିଣି ଆଣେ ମିଠା।


ଭାଗବତ ପାଠ ଛାଡି ବସେ ଟିଭି ପାଶେ,

ମୋବାଇଲ ହାତେ ଥାଏ ପ୍ରଭାତେ ପ୍ରଦୋଷେ।


ବିଞ୍ଚଣା କି ପଟି ବୁଣା ଜଣା ନାହିଁ ତିଳେ,

ଧାନମେଣ୍ଟି ବୁଣା କାହୁଁ ଜାଣିବ କୌଶଳେ।


ସୂରୁଜ ଉଦୟ ପରେ ଶଯ୍ୟା ତ୍ୟାଗ କରି,

ତରବର ହୋଇ ବାସି କାମ ଦ୍ୟନ୍ତି ସାରି।


ଦୁଇ ବେଳା ଘର ଓଳା ହେଉ ନାହିଁ ଯା'ର,

ଗୋବର ପାଣି ଯେ କାହୁଁ ପାଇବ ଦୁଆର ।


ନିଇତି କନ୍ଦଳ କରି ଶାଶୁ ଜାଆ ସଙ୍ଗେ,

ମିଥ୍ୟା ଅଭିନୟ କରି ବାହୁନନ୍ତି ରଙ୍ଗେ।


ମିଥ୍ୟା କଥା କହିଥାନ୍ତି ନିତି ପତି କାନେ,

ସେପାଇଁ କୁଟୀର ଛାଡି ଯାଇଥାନ୍ତି ଦିନେ।


ଶାଶୁ କି ଶ୍ୱଶୁର ଅବା ନଣନ୍ଦ ଦିଅର,

କିଛି ଦିନ ପରେ ସର୍ବେ ହୋଇଯା'ନ୍ତି ପର।


ଗୁରୁବାର,ସଂକ୍ରାନ୍ତି ଅବା ପରବ ତିଥେ,

ଲିପା ପୋଛା ହୁଏ ନାହିଁ ଆଉ ତାର ହାତେ।


ଆମିଷ ବ୍ୟଞ୍ଜନେ ଯାର ନିତି ଥାଏ ମନ,

ସେକାହୁଁ ପାଳିବ ଏଠି ତିଥି ବାର ଦିନ।


ଓଡ଼ିଆ ଘରର ଲକ୍ଷ୍ମୀ ବୋଲିଥାନ୍ତି ତତେ,

କେମନ୍ତ ସଂସ୍କାର ଆଜ ତୋର ପାଶେ ସତେ ।


ଉତ୍କଳ ଜନନୀ ଭାଳି ହୁଏ ତୋର କଥା,

ମନେ ମନେ ପାଏ ସେଯେ କେତେ କେତେ ବ୍ୟଥା।


କହଇ ସେ ଦୁଃଖେ ଆହେ ଓଡ଼ିଆଣୀଗଣ,

କିମ୍ପାଇଁ ନିଜକୁ ଅଣ ଓଡ଼ିଆଣୀ ମଣ ।


ତୋର ପୂର୍ବ ପିଢୀ ଯହିଁ ପାଳୁଥିଲା ନୀତି,

ଓଡ଼ିଆଣୀ ବୋଲି ଗର୍ବ କରୁଥିଲା ନିତି।


ତାହାର ସନ୍ତାନ ହୋଇ ତୁ ଆଜ କିମ୍ପାଇଁ,

ଭୁଲିଲୁ ସଂସ୍କାର ସବୁ କା'ପ୍ରଭାବ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract