ଅରୁନ୍ଧତୀ
ଅରୁନ୍ଧତୀ
ତାରା ନୁହେଁ “ଅରୁନ୍ଧତୀ”ସୀମନ୍ତିନୀ
ବଶିଷ୍ଠ ମୁନି ଙ୍କ ପତ୍ନୀ
ସାଧ୍ଵୀ ଶିରୋମଣୀ ସ୍ଵାମୀ ସୋହାଗିନୀ
ଜ୍ୟୋତିର୍ମୟୀ ମହାସତୀ,
ସଦାଚାରୀ ଚନ୍ଦ୍ରାନନୀ
ତାଙ୍କ ସମ ନାହିଁ ସୁଚରିତ୍ରା କେହି
ସାଧ୍ଵୀ କାନନ ବାସିନୀ ।।
ଦେବହୁତୀ ଗର୍ଭ ସମ୍ଭୁତା ପ୍ରମଦା
ଭୂମଣ୍ଡଳ କିର୍ତ୍ତିକାରୀ
ବଶିଷ୍ଠ ଅଙ୍କ “ଶାୟିନୀ” ସେ ସୁନ୍ଦରୀ
ସୁନ୍ଦରୀ ସୁ-ସୁକୁମାରୀ,
ଅପତି ଧର୍ମେ ପତିବ୍ରତା
ଯାଗ,ଯଜ୍ଞ ବଳେ କାମଧେନୁ ହେଲେ
ଆଶ୍ରମର ରକ୍ଷା କର୍ତ୍ତା ।।
ହୀରଣ୍ୟ ଗର୍ଭ “ସମ୍ଭୁତ” ତପୋନିଷ୍ଠ
ରୂପେ “ସହସ୍ରକିରଣ-
ଧାରୀ” ଅଂଶୁମାନ ଠାରୁ ଉଚ ତର
ବଶିଷ୍ଠ ଙ୍କ ସନମାନ,
“ସ୍କନ୍ଧେ ଯଜ୍ଞ ଉପବୀତ
ସୁବର୍ଣ୍ଣ ଖଚିତ ବୃକ୍ଷ ବଳ୍କଳ ଯା
ପନ୍ଧନ୍ତି କରିଣ ବସ୍ତ୍ର ।।
ରତ୍ନ ର ରୁଦ୍ରାକ୍ଷ ମାଳା ଜପା ମାଳି
ପରମ ତେଜସ୍ଵୀ ରୁଷି
ବ୍ରହ୍ମା ସଂରଞ୍ଚନା ସପ୍ତର୍ଷି ମଣ୍ଡଳେ
ସଙ୍ଗେ ପତ୍ନୀ ଅରୁନ୍ଧତୀ,
ସହ ଦେଖ ବିରାଜିତ
କେଡେ ଭାଗ୍ୟବତୀ ଦେବୀ ଅରୁନ୍ଧତୀ
ପୂର୍ବ ତପ ଫଳ ଭୋଗ ।।
କଳ୍ପବୃକ୍ଷ ଯେହ୍ନେ ବଶିଷ୍ଠ ତେସନେ
ସୁଶୀତଳ ବୃକ୍ଷ ଛାୟା
ତଳେ ଅରୁନ୍ଧତୀ ତପ କରୁଥାନ୍ତି
ତେଜି ଯେତେ ମୋହ ମାୟା,
ସ୍ଵାମୀଙ୍କର ମନ ଜାଣି
ପତ୍ନୀ ଧର୍ମ ପାଳି ସେବାରତେ ରତ
ଦେବୀ ଆଶ୍ରମ ବାସିନୀ ।।
କର୍ଦମ ରୁଷି ଙ୍କ କନ୍ୟା ଅରୁନ୍ଧତୀ
ଗୌରୀ ଉପାସନା ବ୍ରତ
କରି ବଶିଷ୍ଠ ଙ୍କୁ ସ୍ଵାମୀ ରୂପେ “ବରି-
ଥିଲେ” ପୁରାଣ ବର୍ଣ୍ଣିତ,
“ଗୋ,ବ୍ରାହ୍ମଣ,ଆତିଥେୟ
ସେବା” ରତେ ଦିନ କଟେ ସିନା ସଦା
ସ୍ଵାମୀ ପଦେ ଥାଏ ଲୟ ।।
କାମଧେନୁ କନ୍ୟା ନନ୍ଦିନୀ ବଶିଷ୍ଠ
ଆଶ୍ରମେ ସୁନ୍ଦର ଗାଭୀ
ବିଶ୍ଵାମିତ୍ର ହେଲେ ପ୍ରଲୁବ୍ଧ ତାପାଇଁ
ହୋଇ ରୁଷି ପ୍ରତିବାଦୀ,
କଲେ କେତେ ଅନାଚାର
ଶେଷେ କ୍ରୋଧେ ହତ୍ୟା କଲେ ସତେ ପୁତ୍ର
ନକରି କିଛି ବିଚାର ।।
ଦେବୀ ଅରୁନ୍ଧତୀ ସଦା ମହା ଦୁଃଖୀ
ପୁତ୍ର ବିହୁନେ ବିକଳ
ସେ ଦିନ ରାତିରେ ସ୍ଵାମୀଙ୍କ ସଙ୍ଗରେ
ହେଲେ ଆଶ୍ରମୁ ବାହାର,
ଜହ୍ନ ରାତି ଚମତ୍କାର
ଦେଖି ଅରୁନ୍ଧତୀ ବୋଲନ୍ତି ସ୍ଵାମୀ ହେ
ଜହ୍ନ ଜ୍ୟୋତ୍ସ୍ନା କି ସୁନ୍ଦର ।।
ବଶିଷ୍ଠ କୁହନ୍ତି ତନ୍ମଧ୍ୟରେ ଦେଖ
ତପୋବନେ ଜହ୍ନ ସମ
କି ସୁନ୍ଦର ଦିଶେ ତପୋନିଷ୍ଠ ରୁଷି
ବିଶ୍ଵାମିତ୍ର ଙ୍କ ଆଶ୍ରମ
ପୁତ୍ର ହନ୍ତା ନାମ ଶୁଣି
ଅରୁନ୍ଧତୀ “କହୁଛନ୍ତି” ସେ ପାପୀ ର
ନାମ ମୁଖରେ ଧରନି ।।
ତହୁଁ ରୁଷିବର ବୋଲନ୍ତି ତୁମର
ମନୁ ଦୂରକର ଭ୍ରାନ୍ତି
ବିଶ୍ଵାମିତ୍ର ତପୋଧନ ସେ ବ୍ରହ୍ମର୍ଷି
ବଇରି ଆମ ନୁହନ୍ତି
ସେତ ଆମ ପୁତ୍ରବତ୍
ଦୋଷ କ୍ଷମାକରେ କ୍ଷମତା ଶାଳି ସେ
ଗୁଣରେ ତୁମେ ଭୂଷିତ ।।
ଅଦୂରରେ ଛପି ରହି ଶୁଣୁଥିଲେ
ବିଶ୍ଵାମିତ୍ର ଏହି କଥା
ବଶିଷ୍ଠେ ମାରିବା ପାଇଁ ଆସିଥିଲେ
ଘୁରିଗଲା ତାଙ୍କ ମଥା,
ପଦତଳେ ନିପତିତ
ହୋଇ ବିଶ୍ଵାମିତ୍ର କରନ୍ତି ରୋଦନ
କ୍ଷମାକର ମୋତେ ମାତ ।।
ସର୍ବସ୍ଵ ଗୁଣ ସଂପର୍ଣ୍ଣା ଅରୁନ୍ଧତୀ
ମହା ସତୀ ରୁଷି ପତ୍ନୀ
ସର୍ବାଗ୍ରେ ପୂଜିତା ତପସ୍ଵିନୀ ରୁଷି
ମଧ୍ୟେ ସେତ ମହା ଯୋଗ୍ନୀ
ନାରୀ ହୋଇ ରୁଷି “ମାନ୍ୟ
ପାଇ ଛନ୍ତି” ମାତା ନାହିଁ ତିନିପୁରେ
ସବୁ ରେ ସେ ଅସାମାନ୍ୟ ।।
ସପ୍ତର୍ଷି ମଣ୍ଡଳେ ବଶିଷ୍ଠ ଙ୍କ ବାମ
ପାର୍ଶ୍ଵରେ ସେ ଟିକି ତାରା
ଦେବୀ ଅରୁନ୍ଧତୀ ଶୋଭା ପାଉଛନ୍ତି
ରୂପ ତାର ଅପାସୋରା,
ଆଉ ଏକ ଲୋକ କଥା
ଷଡ ମାସ ମୃତ୍ୟୁ ଅବଧି ରେ ଆଉ
ଅଦୃଶ୍ୟ ହୁଏ ସେ ତାରା ।।
ବରାରୋହା ରୁଷି ପତ୍ନୀ ଅରୁନ୍ଧତୀ
ସପ୍ତର୍ଷି ମଣ୍ଡଳେ ଆଜି
ଶୋଭା ପାଉଛନ୍ତି ତାରକା ଗହଣେ
ସ୍ଵାମୀ ସୋହାଗିନୀ ସତୀ,
ମର୍ତ୍ତ୍ୟମଣ୍ଡଳ ର ନାରୀ
ସୌଭାଗ୍ୟବତୀ ଦେବୀ ମହାସତୀ
ଅରୁନ୍ଧତୀ ସୁକୁମାରୀ ।।
