ପାହିବାକୁ ଦିଅ ରାତି
ପାହିବାକୁ ଦିଅ ରାତି
ଅସ୍ଵାଭାବିକ କରାଘାତେ,
ଯେବେ ଖୋଲିଦେଲି ଦ୍ଵାର ।
ଅର୍ଦ୍ଧନିମିଳିତ ଆଖିକୁ ,
ସଂପ୍ରସାରିତ କରି ଚାହିଁଲି ତପ୍ତର ।
ମୃତ୍ୟୁ ! ଆପଣ ! ଏତେ ରାତିରେ,
ଏପରି ଆକସ୍ମିକ ଭାବେ !
କି କରିପାରେ ସେବା ଆପଣଙ୍କ,
ଏ ଦାସକୁ କୁହନ୍ତୁ ସତ୍ଵରେ ।
ଚାଲ୍ ମୋର ସାଥେ, ଏଇ ମୁହୂର୍ତରେ,
ବାକ୍ୟ ବ୍ୟୟ ନକରି , ତ୍ୱରିତେ ।
ନା ନା ତାହା କିପରି ସମ୍ଭବ,
ଫେରାଇ ନିଅନ୍ତୁ ଏ ଆଦେଶ ଅବିଳମ୍ବେ ।
ପୁଅ ସାରି ନାହିଁ ତା ପାଠ କଲେଜ୍ ର,
ଝିଅ ବିଭା ଅଛି ମୁଣ୍ଡ ଉପରେ ।
ସ୍ତ୍ରୀଙ୍କ ସ୍ଵପ୍ନ ସବୁ ହୋଇନି ପୁରଣ,
ଘର, ଗାଡି, ଆଉ କେତେ କଅଣ ।
ଏତେବେଳେ କେହି କଣ ,
ଯାଏ ଆପଣଙ୍କ ସାଥେ ।
ଆଉ କେତେବେଳେ ଆସିଯିବେ,
ଏ ସମୟ ଅତିକ୍ରାନ୍ତେ, ମନା କରିବିନି କେବେ ।
ଆରେ ଏ ମୂଢ ପାମର ତୋ ଦାମ୍ଭିକତା
ଦେଖି ହସ ମାଡ ମତେ ।
ତୋ ସୀମା ପରିବୃତ୍ତକୁ ଭୁଲୁଅଛୁ
ପଡି ମୋହ ଅଖଣ୍ଡ ମାୟାରେ ।
ଦୋଷ ତ ଜଣାନ୍ତୁ ଦେବ,
ଏ ଆକ୍ରୋଶ ନିର୍ଦୋଷ ର ।
କରୋନାରେ ଆକ୍ରାନ୍ତ ତୁ ଆଜି,
ନମାନି ନିୟମାବଳୀର।
ପିନ୍ଧି ନାହୁଁ ମାସ୍କ ନିର୍ଦ୍ଧାରିତ ଭାବେ ।
ଧୋଇନାହୁଁ ହାତ ନିୟମିତ ରୂପେ ।
ଇଛା ତୋର ବସିବାକୁ ଟଙ୍କା ଗଛ ତଳେ ।
ଆଗ ପଛ ନ ବିଚାରି ବୁଲୁଛୁ ସ୍ଵପ୍ନରେ ।
କେତେକଙ୍କୁ ନେଇ ସାରିଲିଣି,
ଏବେ ତୋର ପାଳିରେ ବାଳକ ।
ବେଳ ନାହିଁ ମୋର ହାତେ ବେଶୀ,
କଥାର ଚାତୁର୍ଯ୍ୟେ କର ନାହିଁ ସମୟ ମୋ ନଷ୍ଟ ।