ନିଜ ଭିତରେ ହଜିଥିବା ନିଜକୁ
ନିଜ ଭିତରେ ହଜିଥିବା ନିଜକୁ
ଲାଗେ ଏକା ଏକା କେତେ ତୁମ ବିନା
ସାଥି କଣ ତୁମେ କିଛି ବୁଝନାl
କାହାକୁ ତ ମନ କଥା କହି ହୁଏନା
ଖୋଜି ଖୋଜି ଆପଣାର କାହାକୁ ମୁଁ ପାଏନାl
ଭିତରେ ଭିତରେ କୁହୁଳି ଉଠେ କିଛି ଯନ୍ତ୍ରଣା
ପ୍ରେମର ରାସ୍ତାରେ ଚାଲୁ ଚାଲୁ ହେଲି ବାଟବଣାl
ତୁମେ ସିନା ହଜିଗଲ
ସହରର ଝିଲିମିଲି ଆଲୋକ ଭିତରେ
ଉଡି ବୁଲୁଥିବା ରଙ୍ଗୀନ ପ୍ରଜାପତିଙ୍କ ମେଳରେ l
କେବେ ଅବା ମଦିରାର ଉଛୁଳା ତରଙ୍ଗେ
ଆଉ କେବେ ଭୁଲୁ ଅଛ
ଦେଖି ନୂଆ ନୂଆ ଫୁଟୁଥିବା ଫୁଲଙ୍କର ରଙ୍ଗେ l
ଆଉ ମୁଁ ତ ଜଳେ
କାହିଁ କେତେ ଦୂରେ
ଗାଁର ସେ ଉଦାସୀ କୋଳରେ
ଶାଶୁ ଆଉ ନଣନ୍ଦ ମେଳରେ
ଝରୁଥିବା ଲୁହର ବନ୍ୟାରେ
ଆଉ କେବେ କଟୁକ୍ତିର ନିଆଁ ଝୁଲା ପରେ l
ରାତିର ସେ ନିରୋଳା ଅନ୍ଧାରେ
ତାରା ଭରା ଜହ୍ନ ଆକାଶରେ
ମଲି ହେନା ଫୁଲଙ୍କ ମହକେ
ନିଜକୁ ମୁଁ ନିଜ ପାଶେ ଠକେ l
ନୀରବରେ ମନକୁ ମୋ ବୁଝାଇ ମୁଁ ଦିଏ
ସବୁଦିନ ନଥିବ ଅନ୍ଧାର
ଭରିଦେବ ଏ ପୂର୍ଣମୀ ଦିନେ ଖୁସିର ଜୁଆର l
ମନ ମୋର ବୁଝିଯାଏ ସେ ମିଛ କଥାରେ
ଲୁହ ପୋଛି କାନି ପଣତରେ
ଫେରିଯାଇ ହଜିଯାଏ ନିତିଦିନ କାମର ଭିଡ଼ରେ
ଆଉ ପ୍ରତୀକ୍ଷାର ମିଠା ମିଠା ସପନ ଭିତରେ l