ଜଳାଶ୍ରୟ
ଜଳାଶ୍ରୟ
ଦୂରରୁ ଦେଖି ସୁନ୍ଦର ଦିବ୍ୟ ଜଳାଶ୍ରୟ,
ଅମାନିଆଁ ମନ ହେଲା ଚଞ୍ଚଳ ଅଥୟll
ତୃଷା ନିବାରଣ କରିବ ନିଶ୍ଚେ ତା ମିଠା ଜଳ,
ବାଧା ବିଘ୍ନ ନମାନି ଚାଲିଲି ଯେ ଦୂରାନ୍ତରll
ପାଦେ ଫୁଟୁଥିବା କଣ୍ଟାକୁ ନକରି ଖାତିର,
ରକ୍ତାକ୍ତ କ୍ଷତାକ୍ତ ଯନ୍ତ୍ରଣାକୁ ଭୃକ୍ଷେପ ନକରିll
ଜାରି ରଖିଲି ଉତ୍ସାହେ ଚାଲିବା ନିରନ୍ତର,
ହେଉଥିଲା ଦିନୁଦିନ ସେ ପୁଷ୍କରଣୀ
ନିକଟରୁ ନିକଟତରll
ତରଙ୍ଗାଇତ ଜଳର ସୌନ୍ଦର୍ଯ ମନକୁ କରୁଥିଲା ଉତ୍ତାଳ,
କେତେ ଦିନର ଏ ତୃଷ୍ଣା ହେବ ନିଶ୍ଚୟ ନିବାରଣll
ଆସି ଶେଷେ ପହଞ୍ଚ ଗଲି ନିର୍ଦିଷ୍ଠ ସ୍ଥଳେ,
ଯୁଗାତିତରୁ ସାଇତା ଆଶା ପୂର୍ଣ
ହୋଇଯିବ ତତକ୍ଷଣେll
ଢେଉ କାଟି କାଟି ପଶିଗଲି ସୁଶୀତଳ ଜଳେ,
କିନ୍ତୁ ସେ ନଥିଲା ମନ ଚାହୁଁଥିବା ମିଠା ନଦୀ ଜଳll
ଥିଲା ଉତ୍କଟ ଲବଣାକ୍ତ ସମୁଦ୍ରର ଜଳ,
ତୃଷାର୍ତ୍ତ ଆକୁଳ ଆତ୍ମା ନିମିଷକେ ହୋଇଗଲା ସ୍ତବ୍ଧll
ଚାରିପାର୍ଶ୍ଵ ଆଖି ବୁଲାଇ ଦେଖିଲି,
ଏକା ମୁଁ ନୁହଁ ଅନେକ ଏ ପଥର ପଥିକ ବି ଥିଲେll
ତୀରେ ପଡି କେବଳ ଛଟପଟ ହେଉଥିଲେ,
ପଛକୁ ଫେରିଯିବା ନୁହଁ ସମ୍ଭବ, ଆଗକୁ ଯିବା ରାସ୍ତା ବି ବନ୍ଦll
ମୃଗତୃଷ୍ଣା ପଛେ ଗୋଡାଇ ଗୋଡାଇ,
ସାରିଛନ୍ତି କେବଳ ସମୟ ଆଉ ବଳ ବୟସll
ନା ମିଳିଥିଲା ମିଠା ଜଳ, ନା ମେଣ୍ଟିଥିଲା ତୃଷ୍ଣା,
କାମାନାର ପଛେ ଗୋଡାଇ
କେବଳ ହୋଇଛନ୍ତି ଦିଗଭ୍ରଷ୍ଟାll