ନ୍ୟାୟ-ଅନ୍ୟାୟ
ନ୍ୟାୟ-ଅନ୍ୟାୟ
ଘରେ ଘରେ କ°ସ ପୁରେ ପୁରେ କ°ସ
ସ୍ୱାର୍ଥ ହି°ସା ଦାଉ ଦାଉ
ଜଳେ ଦାବାନଳ କ୍ଷମତା କନ୍ଦଳ
ଗ୍ରାସିଯାଏ କେତୁ ରାହୁ ।
ସାଧୁ ସତ୍ୟବାନ ଗଣନ୍ତି ପ୍ରମାଦ
ଭୟରେ କାଟନ୍ତି ଦିନ
ଦୀନ ଓ ଦରିଦ୍ର ଗୁଣ ମାନ ହୀନ
ପ୍ରଜା ସାଧାରଣ ଜନ ।
ଅସାଧୁ କପଟୀ କଳ କଉଶଳେ
ହରି ଦଉଲତ ଧନ
ବୋଲାନ୍ତି ନିଜକୁ ସର୍ବ ଶକ୍ତିମାନ
ହର୍ତ୍ତାକର୍ତ୍ତା ଭଗବାନ ।
ଉଜୁଡି ଯାଉଛି ପଲ୍ଲୀ ନଗ୍ର ଗ୍ରାମ
ଗୋପପୁର ବୃନ୍ଦାବନ
ଅନ୍ତସାର ଶୂନ୍ୟ ମଣିଷ ହୃଦୟ
ନିର୍ଜୀବ ଜଡ଼ ପାଷାଣ ।
ସ°ସାରେ ଜୀବନ ଯନ୍ତ୍ରଣା ଜର୍ଜର
ନାହିଁ ସ୍ନେହ ପ୍ରେମ ପ୍ରୀତି
ହୁଙ୍କାରନ୍ତି ଦୁଷ୍ଟ ପାଷାଣ୍ଡ ବର୍ବର
କ°ସାସୁର ଦିନରାତି ।
ପୁତନା ଶକଟା ଅଘା ବକାସୁର
ଛଳନା ଓ ତାଡନାରେ
ସନ୍ତ୍ରସ୍ତ କାତର ସରଳ ନୀରିହ
କୋମଳ ଶୈଶବ ମରେ ।
ଗଗନ ପବନ ଶାନ୍ତ ତପୋବନ
ସୁନ୍ଦର କାଳିନ୍ଦୀ ତଟ
ଗ୍ରାସେ ପ୍ରଦୂଷଣ କୁହୁଳେ ଜୀବନ
ସବୁଠି ବିଷ ଉତ୍କଟ ।
ଯନ୍ତ୍ରଟିଏ ମାତ୍ର ଆଜିର ମଣିଷ
ଆଜ୍ଞାବହ କ୍ରୀତଦାସ
ହସ୍ତପଦେ ବନ୍ଧା ଲୌହର ଜଞ୍ଜୀର
ମଳିନ ତା ମୁଖେ ହସ ।
କରେ ଅଟ୍ଟହାସ୍ୟ ଦୂରାଚାରୀ ମ୍ଳେଚ୍ଛ
ସଙ୍କୁଚିତ ସତ୍ୟଧର୍ମ
ଦୁର୍ବିସହ ଦୁଃଖ ଅସତ୍ୟ ଅନ୍ୟାୟ
ଘାରେ କଳଙ୍କିତ କର୍ମ ।
ସତ୍ୟ ଧର୍ମ ନ୍ୟାୟ ସ୍ୱଚ୍ଛନ୍ଦ ଜୀବନ
ଚେତନାର ଜାଗରଣ
ଆଉ ଥରେ ଜନ୍ମ ନିଅ ହେ ଶ୍ରୀକୃଷ୍ଣ
ଉନ୍ମେଷୁ ସବୁଜ ସ୍ୱପ୍ନ ।