ନୃସିଂହ ଜନ୍ମ
ନୃସିଂହ ଜନ୍ମ
ବେଳ ରତରତ ଅସ୍ତାଚଳେ ସୂର୍ଯ୍ୟ ପ୍ରହଲ୍ଲାଦ କଥା ଶୁଣି,
ନିର୍ଘାତ ପ୍ରହାରେ ନିର୍ଜୀବ ସ୍ତମ୍ଭ କୁ ଭାଙ୍ଗିଦେଲା ଜାଣି ଶୁଣି;
କାହିଁ ତୋର ହରି ଆରେ ଦୁରାଚାରୀ ଏଠି ଅଛିବୋଲି କହୁ,
ଗର୍ଜନ କରିଲା ହିରଣ୍ୟକଶିପୁ ଦେଖୁ ଦେଖୁ ଚାହୁଁ ଚାହୁଁ;
ଅଦଭୂତ ରୂପ ଧରି,
ଚତୁର୍ଥାବତାରେ ସ୍ତମ୍ଭୁ ଆବିର୍ଭାବ ନରସିଂହ ରୂପେ ହରି ।।
ଅର୍ଦ୍ଧ ଅବୟବ ପଶୁରାଜ ସମ ଅର୍ଦ୍ଧେକ ମନୁଷ୍ୟ ପ୍ରାୟ,
ମହାଘୋର ସିଂହ ଗର୍ଜନେ ତ୍ରିପୁର କମ୍ପେ ପାଇ ମହାଭୟ;
ଦେଖି ଥରହର ହିରଣ୍ୟକଶିପୁ ଭୟେ ପଳାଇବା ବେଳେ,
ବଳେ କୋଳେ ଧରି ନଖେ ସେ ରାକ୍ଷସ ବକ୍ଷ ବିଦାରଣ କଲେ;
ମହାବିଷ୍ଣୁ ଉଗ୍ରବିର,
ଅଧର୍ମ ବିନାଶେ ଧର୍ମ ସଂସ୍ଥାପନେ ଅବତାରୀ ଅବତାର ।।
ବଇଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ନୁହେଁ ରାତି ନୁହେଁ ଦିନ,
ହିରଣ୍ୟକଶିପୁ ମରଣ ପୂର୍ବରୁ ନୃସିଂହନାଥ ଙ୍କ ଜନ୍ମ;
ଅଜନ୍ମା ପୁରୁଷ ପ୍ରଭୁ ଲକ୍ଷ୍ମୀ ଈଶ ଆବିର୍ଭୂତ ହୋଇଥିଲେ,
ସଂସାର ମଙ୍ଗଳ ପାଇଁ ମହାପ୍ରଭୁ ଅଦ୍ଭୁତ ରୂପ ଧରିଲେ;
ପ୍ରହଲ୍ଲାଦ ଡାକ ଶୁଣି,
ସତରେ ଭକତ ଭକ୍ତି ଡୋରେ ବନ୍ଧା ହୋଇଛନ୍ତି ଚକ୍ରପାଣି ।।
ତାଙ୍କ ଆବିର୍ଭୁତ କଉଣପ ମୃତ ବେଳ ଭୟାବହ ଦୃଶ୍ୟ,
ସୁର ନର ନାଗ ଲୋକ ଥରହର ହୋଇଲେ ଦେଖି ସେ ରୂପ;
ବିକଟ କାନ୍ତି ସେ ବାଳୁତ ପ୍ରଲ୍ହାଦ ସ୍ତବ୍ଧେ ଡାକେ ହରି ହରି,
ଅନୁନୟେ ଡାକୁଥାଏ ଶଂକାକୁଳେ ଦେହ ଯାଉଥାଏ ଥରି;
ଭକତ ର ଭୟ “ଦୂର-
ପାଇଁ” ଶାନ୍ତ ମୂର୍ତ୍ତି ହୋଇ ଭକତକୁ ଆଶୀର୍ବାଦେ କଲେ କୋଳ ।।
ସରଗେ ଚହଳ ଅପ୍ସାରା ଗନ୍ଧର୍ବ ନୃତ୍ୟ ବାଦ୍ୟ ତାଳେ ତାଳେ,
ଭକ୍ତି ପୁଷ୍ପାଞ୍ଜଳି ଧରି ଦେବ ଲୋକ ପୁଷ୍ପ ବରଷଣ କଲେ;
ଅସ୍ଥିର ବାସୁକୀ ହୋଇଗଲା ସ୍ଥିର ଦେଖି ପାପୀ ସଂହାରଣ,
ନରଲୋକ ସର୍ବେ ଷୋଡ଼ଶୋପଚାରେ ପୂଜାକଲେ ନାରାୟଣ;
ଏବ୍ରତ କଲେ ନିଷ୍ଠାରେ,
ଧନ ଜନ ଗୋପଲକ୍ଷ୍ମୀ ଯୁକ୍ତ ହୋଇ ସ୍ଵର୍ଗାଲୋକ ଲଭି ପାରେ ।।
ଏ ନୁହଇ ଗପ ଅବା କିମ୍ବଦନ୍ତୀ କି ଅବା ଶୁଣିବା କଥା,
ନିତ୍ୟ ସତ୍ୟ ଏହି ବେଦ ସନ୍ନିହିତ ସମାଜକୁ ମହାଶିକ୍ଷା;
ପାପ ବଢିଗଲେ ଧର୍ମ ସଂସ୍ଥାପନେ ସୃଷ୍ଟିକୁ ରଖିବାପାଇଁ,
ଜନମ ଲଭନ୍ତି ମହାବିଷ୍ଣୁ ଧରାବକ୍ଷେ ଅବତାର ନେଇ;
ଧର୍ମ ଧାରଣେ ପୃଥିବୀ,
ଅଧର୍ମ ହୋଇଲେ ଅଧମର ମୃତ୍ୟୁ ନାମତାର ଯାଏଲିଭି ।।