କେମିତି ଭୁଲିଲୁ ତୁ ସେ ପିଲା ଦିନ
କେମିତି ଭୁଲିଲୁ ତୁ ସେ ପିଲା ଦିନ
କେମିତି ଭୁଲିଲୁ ତୁ ସେ ପିଲା ଦିନ
ତୋ ମନରେ ଥିଲା ଦିନେ ବାପା ମା ପ୍ରେମ
ଦୁନିଆରେ ପାଇଥିଲୁ ସକଳ ଖୁସି
କାନ୍ଧେ ବସି ଦେଖୁଥିଲୁ ଆକାଶ ଜହ୍ନ ।
ସ୍ବାର୍ଥ ପାଇଁ ଜଗତରେ ହେଲୁ ନିଷ୍ଠୁର
ମାଟିର ମଣିଷ ହେଇ ହେଲୁ ପଥର
ବାପା ମା'ଙ୍କ କଥା ଆଉ ମନେ ପଡେନା
ତୋ ହୃଦୟେ ଭରିଗଲା ଏମିତି ଘୃଣା ।
କାହିଁକି ତୁ ଦେଇଯାଉ ଏତେ ଯନ୍ତ୍ରଣା
ଆଖି ସାଜେ ଚିରସ୍ରୋତା ଲୁହ ଝରଣା
ଘରତୋଳି ସହରେ ତୁ ରହୁ ଖୁସିରେ
ଭୁଲିଗଲୁ ନିଜ ଭିଟାମାଟି ଠିକଣା ।
ଦୁଃଖ ସହି ଯିଏ ତତେ ଦେଇଛି ସୁଖ
କେମିତି ତୁ ଭୁଲିଗଲୁ ଆଜି ତା ମୁଖ
ଆଜିବି ସେ ଚାହୁଁଛି ତୋ ଶୁଭ ମଙ୍ଗଳ
ଆଜିବି ସେ ଚାହିଁଛି ତୋ ଫେରିବା ବାଟ ।
କେମିତି ତୁ ଭୁଲିଗଲୁ ନିଜ କର୍ତ୍ତବ୍ୟ
କାହିଁକିରେ ବାଛିନେଲୁ ନିଜର ସାର୍ଥ
ବାପା ମା'ଙ୍କ ପ୍ରେମ ଆଉ ମନ ଝୁରେନା
ମାୟା ମୋହ ଜାଳେ ଆଜି ହେଲୁକି ବଣା ।
ପାଠ ପଢି ସିନା ଭବେ ଓଠ ଚଢିଲୁ
ସେଥିପାଇଁ ମନରୁ କି ନିଚ ମଣିଲୁ
ଭୁଲିଗଲୁ ହୃଦୟରୁ ଅଭୁଲା ଦିନ
ବାପାମାଙ୍କୁ ଏ ଜୀବନେ କଣ୍ଟା ଭାବିଲୁ ।
ଯାହାପାଇଁ ଥିଲୁ ଦିନେ ମୋତି ମାଣିକ
ତା ଆଖିରେ ଭରିଦେଲୁ କିଆଁ ଲୋତକ
ଆଜି ତା ପାଇଁରେ ଟିକେ ବେଳ ମିଳେନା
ହସିଲେ ବି ଏ ମନରେ ଖୁସି ମିଳେନା ।
ନାତି ନାତୁଣୀ ସାଥେ ମୁଁ ନିତି ଖେଳନ୍ତି
ଗପ କହି ଗୀତ ଗାଇ ଦିନ କାଟନ୍ତି
ଦୁନିଆରେ ସବୁଠୁ ମୁଁ ଅଛି ଖୁସିରେ
ପରିଜନ ଲୋକଙ୍କଠୁ ନିତି ଶୁଣନ୍ତି ।
ଏ ସବୁ ତ ଏ ଜୀବନେ ସପନ ପ୍ରାୟ
ଡହଲ ବିକଲ ହୁଏ ବୁଢା ବୟସ
ପ୍ରେମକୁ ପଇସା ସାଥେ କଲୁ ତୁଳନା
ଏ ହୃଦୟ ଏକଥାକୁ ସହି ପାରେନା ।
