ଧାରେ ଲୁହ
ଧାରେ ଲୁହ
ସାତ ସାଗରର ଲୁହ କା ଆଖିରେ ହୃଦୟେ ଅନେକ କୋହ
ଦୁଃଖ ମଶାଣି ର କୁହୁଳା ଧୂଆଁରେ ବିବର୍ଣ୍ଣ ଦିଶଇ ଦେହ
ଶ୍ରାବଣ ର ଧାରା ସମ ଲୁହ ଝରା ଆଖିରୁ ହଜାଏ ଜ୍ୟୋତି
ମୁହଁରୁ ହଜଇ ହସର ଗୋଲାପ ହଜେ କ୍ଷାତି ହଜେ ଶାନ୍ତି ।।
ଦୁଃଖ କଷଣ ରେ ଲୁହ ଝରିଗଲେ ଲାଘବ ହୁଅଇ ଦୁଃଖ
ବେଳେ ବେଳେ ଧାରେ ଲୁହ ଝରିଆସେ ଲଭିଲେ ସହସା ସୁଖ
ଅଭିମାନ ଭରା ଧାରେ ଲୁହ ଦେଖି ଉପଳ ହୁଅଇ ନୀର
ଶାନ୍ତି ନୀଳୟରେ ଲୁହ ଝରେ କେବେ ଚରିଯାଏ ହଳାହଳ ।।
ସତୀ ସୀତା ଙ୍କର ଲୁହେ ସ୍ଵର୍ଣ୍ଣଲଙ୍କା ଜଳି ହେଲା ଛାରଖାର
ଯାଜ୍ଞସେନୀ ଲୁହ ଧ୍ଵଂସ କରିଦେଲା ମହାମାନୀ କୁରୁକୁଳ
ମାତା ପିତାଙ୍କର ଲୁହରେ ସନ୍ତାନ ଭୋଗଇ ଦୈବୀ ଯନ୍ତ୍ରଣା
ଗୁରୁ ଗୁରୁଜନ ବ୍ରାହ୍ମଣ ଲୁହରେ (ଜନ୍ମେ) “ବିକଳାଙ୍ଗ ଅନ୍ଧ କଣା” ।।
ଲୁହ ଧାର ଚିତ୍ର ନୁହେଁ ଛୋଟ ଦୃଶ୍ୟ ଦୃଶ୍ୟେ ହୃଦୟ ବିଦାରେ
ଲୁହ ପାଇଁ ଯୁଦ୍ଧ ଲୁହପାଇଁ ଶାନ୍ତି ମୈତ୍ରେୟ ଅନୀଳ ଝରେ ।।
