ଆଉ କି ଉଇଁବେ
ଆଉ କି ଉଇଁବେ
ଆଉ କି ଉଇଁବେ ଭାରତ ଆକାଶେ
ତିନି ରବି ଏକ ସଙ୍ଗେ
ତେଜୋଦୀପ୍ତ ଭରା ପୁତମୟ ରଶ୍ମୀ
ବିସ୍ତାରିବେ ଚଉଦିଗେ ।
ହରିନେବେ ଯେତେ କଷଣ ଅନ୍ଧାର
ଭରିଦେବେ ନବ ଆଭା
ନୂତନ ଚେତନା ଅଙ୍କୁରିତ ମନେ
ନୂଆ ସକାଳର ଶୋଭା ।
ଶଙ୍କିତ ପରାଣ ପରାଧୀନତାରେ
ଦୁଃଖେ ଜର୍ଜରିତ ହୋଇ
ଶିଥିଳ ରକତେ ମୁକ୍ତିର ଉଷ୍ମତା
ଗର୍ବେ ଭରିଦେବା ପାଇଁ ।
ସୁପ୍ତ ଆକାଂକ୍ଷାର ସୁରମ୍ୟ ଭୁବନେ
ସୁନ୍ଦର ଭବିଷ୍ୟ ଆଙ୍କି
ତ୍ୟାଗ କରିନେବେ ନିଜର ଅସ୍ତିତ୍ୱ
ସୁଖ ସ୍ୱପ୍ନ ନେତ୍ରେ ଦେଖି ।
ସହିଯିବେ ଯେତେ ଶତ୍ରୁର ଶକତି
ଦେହ ମନ ଟାଣ କରି
ଆହ୍ୱାନର ମନ୍ତ୍ର ବୁଣିଦେଇଯିବେ
ସଭିଙ୍କର ସାଇଁ ପରି ।
ଆଶାର ଝଲକ ଖେଳାଇ ଚୌଦିଗେ
ଗାଇବେ ଭାରତ ଗୀତି
ବୀରତ୍ୱ ବାରତା ପବନେ ଝଙ୍କୃତ
ହୋଇବ କି ନିତି ନିତି ?
ସାହସ ଧୈର୍ଯ୍ୟର ଅସୀମ ଐଶ୍ୱର୍ଯ୍ୟ
ମନ ପ୍ରାଣେ ଠୁଳ କରି
ଜନ୍ମଭୂମି ବୁକେ ଯାତନା ବିନାଶ
କରିବେ ଅସ୍ତ୍ର ନ ଧରି ।
ଚିରକାଳ ପାଇଁ ଜନନୀ କୋଳରେ
ଲିଭିଗଲା ପରେ ଦେହ
ତଥାପି ଅମର ରହିବେ କିଏ ସେ
ଛୁଟିବ ପ୍ରଂଶସା ସୁଅ ।
ହେ ଭଗତ ସିଂହ ପୂଜ୍ୟ ସୁଖଦେଵ
ହେ ସଂଗ୍ରାମୀ ରାଜଗୁରୁ
ପୁଣି ଜନ୍ମନେଇ ଅନ୍ୟାୟ ଅକୀର୍ତ୍ତି
ନାଶ କର ପୃଥିବୀରୁ ।